ବାରିପଦା: ଝଡି ବର୍ଷାରେ ଅଧାରେ ଲିଭି ଯାଉଛି ଚୁଲି। ଘର ଭିତରୁ ପ୍ଲାଷ୍ଟର ଖସୁଥିବାରୁ ପିଲାଙ୍କୁ ନେବାକୁ ଭୟ ଲାଗୁଛି। ଏନେଇ କେବେ ଗଛ ମୂଳେ ତ ଆଉ କେବେ ଭଡା ଘରେ। ଏହି ସମସ୍ୟା କେଉଁ ବେସାହାରା ଲୋକର କାହାଣୀ ନୁହେଁ। ବରଂ ଏମିତି ଗଢା ହେଉଛି ଆମ ଦେଶର ଭବିଷ୍ୟତ। ବେରୋଜଗାରୀ ଓ ବେକାରୀର ଟୀକା ପିନ୍ଧିଥିବା ଓଡିଶାରେ ଏ ହେଉଛି ଶିକ୍ଷାର ବିକଳ ଚିତ୍ର। ଖୋଲା ଆକାଶ ସହ ଜନ୍ତୁଙ୍କ ମେଳିରେ ଚାଲିଛି କୋମଳମତି ଶିଶୁଙ୍କ ବିକାଶର ପାଠଶାଳା। ଯେଉଁଠି ନାଚି ଖେଳି ପାଠ ପଢୁଛନ୍ତି କାଲିର ଭବିଷ୍ୟତ। ଏ ଦୃଶ୍ୟ ହେଉଛି ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ସମାଇଡ଼ିହି ଅଙ୍ଗନବାଡି କେନ୍ଦ୍ରର।
ଜିଲ୍ଲାରେ ମୋଟ ୪୮୮୦ ଟି ଅଙ୍ଗନବାଡି କେନ୍ଦ୍ରରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୦୨୩ ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୩୨୭ ଟି ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ କାମ ଜାରିରହିଛି। ୪୦୧ ଟି ଅଙ୍ଗନବାଡି କେନ୍ଦ୍ର ଭଡାଘରେ ଏବଂ ୧୨୯ ଟି ଅଙ୍ଗନବାଡି କେନ୍ଦ୍ର କମ୍ୟୁନିଟି ହଲ ଓ କ୍ଲବ ଘରେ ଚାଲିଛି।
ଏହି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଘର ଅଛି ହେଲେ ପ୍ଲାଷ୍ଟର ଖସୁଥିବାରୁ ବାଧ୍ୟରେ ଗଛ ମୂଳେ ଚାଲିଛି ଶିଶୁମାନଙ୍କ ଶିକ୍ଷାଦାନ। ବାରମ୍ବାର ଦାବି ସତ୍ତ୍ଵେ ପ୍ରଶାସନିକ ଉଦାସୀନତା ପାଇଁ ନୂଆ ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣକୁ ତିନି ବର୍ଷ ପରେ ବି କାମ ସରୁନାହିଁ। ଖାଲି ଅଙ୍ଗନବାଡି କେନ୍ଦ୍ରର ଗୃହ ନୁହେଁ ରୋଷେଇ ଘର ବି ନାହିଁ ଯାହାଫଳରେ ବାରଣ୍ଡାରେ ଚାଲିଛି ରୋଷେଇ। ତେବେ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର 2 କିଲୋମିଟର ଦୂରରେ ଅବସ୍ଥିତ ଏହି ଅଙ୍ଗନବାଡି କେନ୍ଦ୍ରରୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିକାଶର ଚିତ୍ର ହିଁ ଜଳ ଜଳ ବାରି ହୋଇପଡୁଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ