ରାଇରଙ୍ଗପୁର: ରାଇରଙ୍ଗପୁରରେ ମାତିଛନ୍ତି ବାଲି ମାଫିଆ । ଚାଲିଛି ବେଆଇନ ବାଲି ଚାଲାଣ । କିନ୍ତୁ ଏହି ବେଆଇନ ବାଲି ଚାଲାଣ ଉପରେ ଚଢାଉ ବେଳେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ସଗୋଡ଼ା ଗାଁରେ ଘଟିଛି ଏଭଳି ଅଘଟଣ । ତେବେ ସଙ୍ଘବୋଧ ଆକ୍ରମଣ କରି ଲହୁଲୁହାଣ କରିଥିବା ଲିଖିତ ଅଭିଯୋଗ କଲେ ଅତିରିକ୍ତ ତହସିଲଦାର ବିରସେନ ବେହେରା ।
ସୂଚନାମୁତାବକ, ଘାଗରବେଡା ଥାନା ଅନ୍ତର୍ଗତ ସଗଡ଼ା ଗାଁ ବୈତରଣୀ ନଦୀତୁଠରୁ ବେଆଇନ ବାଲି ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ରରୁଆଁ ଅତିରିକ୍ତ ତହସିଲଦାରଙ୍କ ସହିତ ଅନ୍ୟ ଦୁଇ ଜଣ ତହସିଲ କର୍ମଚାରୀ ଚଢ଼ାଉ କରିବା ପାଇଁ ଯାଉଥିବା ବେଳେ ସଗୋଡା ଗାଁ ନିକଟରେ ତହସିଲ ଜିପକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଅତିରିକ୍ତ ତହସିଲଦାର ଏବଂ ଅନ୍ୟ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ ଦୁର୍ବୃତ୍ତ ।
ଥାନାରେ ଅଭିଯୋଗ ପରେ ଘାଗରବେଡା ଭାରପ୍ରାପ୍ତ ଥାନା ଅଧିକାରୀ ବାଲିଘାଟରେ ଚଡାଉ କରି ଗୋଟିଏ ପୋକଲେନ ଗାଡିକୁ ଜବତ କରିଥିବା ବେଳେ ବାଲି ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ତେବେ ଏନେଇ ଘାଗରବେଡା ଥାନାରେ ୩୪/୨୦ ମୁତାବକ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ