ବାରିପଦା: ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳା । ଜଣେ ମହିଳାଙ୍କର ଗର୍ଭନିରୋଧକ କପର ଖୋଲିବାବେଳେ ଔଷଧ ବଦଳରେ ଏସିଡ ଢାଳିଦେଲେ । ଅସହ୍ୟ ଯନ୍ତ୍ରଣାରେ ପୀଡ଼ିତ ମହିଳାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲର ସର୍ଜରି ବିଭାଗରେ ଭର୍ତ୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ। ପୀଡିତା ମହିଳା ଜଣଙ୍କ ହେଉଛନ୍ତି ଖୁଣ୍ଟା ବ୍ଲକ ଉଦଳା ଥାନା ଅନ୍ତର୍ଗତ ବୃନ୍ଦାଗଡ଼ି ଗ୍ରାମର ଶାନ୍ତିଲତା ରାଉତ (୨୧) ।
ସୂଚନାନୁସାରେ, ପୀଡିତା ମହିଳାଙ୍କୁ ତାଙ୍କ ସ୍ୱାମୀ ମାନସ କୁମାର ନାୟକ ଆଜି ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ୮ ମାସ ତଳେ ବ୍ୟବହାର ହୋଇଥିବା କପରଟିକୁ ବାହାର କରିବାକୁ ଆଣିଥିଲେ। ସେଠାରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ମହିଳାଙ୍କ ଶରୀରରୁ କପରକୁ ବାହାର କରିଥିଲେ। ମାତ୍ର ତ୍ରୁଟିପୂର୍ଣ୍ଣ ଭାବେ କପରକୁ ବାହାର କରିବା ପରେ ଔଷଧ ବଦଳରେ ଏସିଡ ବ୍ୟବହାର କରିଦେଇଥିଲେ। ଏନେଇ ମହିଳା ଜଣଙ୍କ ଯନ୍ତ୍ରଣା ହେଉଥିବା ଅଭିଯୋଗ ମଧ୍ୟ କରିଥିଲେ ତେବେ ଏହି ପ୍ରକ୍ରିୟାରେ ଯନ୍ତ୍ରଣା ହେଉଥିବା ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ମହିଳାଙ୍କ ସ୍ୱାମୀଙ୍କୁ କହିଥିଲେ।
ତେବେ ଅସହ୍ୟ ଯନ୍ତ୍ରଣାରେ ମହିଳା ଜଣଙ୍କ ଚିତ୍କାର କରିବାରୁ ଔଷଧ ବଦଳରେ ଏସିଡ ବ୍ୟବହାର ହୋଇଥିବା ଜଣାପଡିଥିଲା। ଏପରି ତ୍ରୁଟିକୁ ଉକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଜଣକ ସ୍ଵୀକାର କରିଥିବା ପୀଡ଼ିତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି । ପ୍ରଥମେ ହସ୍ପିଟାଲ ନେଇ ଚିକିତ୍ସା କରି ଭଲ ହେଇଗଲେ ଖର୍ଚ୍ଚ ଦିଆଯିବା କହି ମହିଳାଙ୍କୁ ବାରିପଦା ପଠାଇଥିଲେ ଉକ୍ତ କର୍ମଚାରୀ । ଏହି ତ୍ରୁଟିପୂର୍ଣ୍ଣ ଘଟଣା କାରଣରୁ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗ ସମେତ ଶରୀର କଳା ପଡି ବିକୃତ ହୋଇଥିବା ଜଣାପଡିଛି ।
ଏହି ଘଟଣା ସମ୍ପର୍କରେ ଜାଣିଥିବା ସିଡ଼ିଏମଓ ଡ଼ଃ ରୂପଭାନୁ ମିଶ୍ର ସୂଚନା ଦେଇଛନ୍ତି । ଏନେଇ ଏକ ତଦନ୍ତ ହେବ ବୋଲି ଡାକ୍ତର କହିଛନ୍ତି । ପୀଡିତା ମହିଳାଙ୍କ ନିକଟରେ ବାରିପଦା ବିଧାୟକ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ତେବେ ଏପରି ଚରମ ଅବହେଳାକୁ ଦୃଢ଼ ନିନ୍ଦା କରାଯାଇଛି । ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ପୀଡିତା ମହିଳାଙ୍କୁ କ୍ଷତିପୂରଣ ଦାବି ହୋଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ