ରାଇରଙ୍ଗପୁର: ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ହତ୍ୟାକାଣ୍ଡର ୪୫ ଦିନ ପରେ ହତ୍ୟାକାରୀ ଗିରଫ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତକିଡ଼ିହା କଲୋନୀ ସାହି ର କଲେଜ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଘଟଣାର ୪୫ ଦିନ ପରେ ଲାଏ ଡ଼ିଟେକ୍ସନ ଟେଷ୍ଟ ପରେ ମହୁଲଡିହା ଥାନା ପୋଲିସ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଛି ।
ଯୁବତୀଙ୍କ ଘରକୁ ଅଧିକାଂଶ ସମୟରେ ଯିବା ଆସିବା କରୁଥିବା ସେହି ଗ୍ରାମ ର ବିବାହିତ ଯୁବକ ଜ୍ୟୋତି ରାମ ପଥୁରିଆ ଘରେ କେହି ନଥିବାର ସୁଯୋଗ ନେଇ ଯୁବତୀ ଙ୍କୁ ବଳାତ୍କାର କରିବା ପରେ କଥା ପ୍ରଘଟ ହେବା ଭୟରେ ଯୁବତୀଙ୍କୁ ଅତି ନିର୍ମମ ଭାବରେ ଟାଙ୍ଗିଆ ଦ୍ଵାରା ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ବ୍ୟବହୃତ ଟାଙ୍ଗିଆ ଜବତ ସହ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ମହୁଲଡିହା ଥାନା ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଗତ ଜୁଲାଇ 2 ତାରିଖରେ ଉକ୍ତ ଯୁବତୀଙ୍କ ବାପା ଓ ମା ସାତକୋଶିଆ ସାପ୍ତାହିକ ହାଟ କୁ ଯାଇଥିବା ସମୟରେ ଘରେ କେବଳ ତାଙ୍କର ଏକମାତ୍ର ଝିଅ ରହିଥିଲେ। ବାପା ଓ ମା ହାଟରୁ ଫେରି ଘର ଭିତରେ ଝିଅର ରକ୍ତ ଜୁଡୁବୁଡୁ ଶରୀର ପଡିଥିବା ଦେଖି ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଝିଅର ବାପା ହତ୍ୟାକାଣ୍ଡ ସମ୍ପର୍କରେ ମହୁଲଡିହା ଥାନାରେ ଜଣାଇବା ପରେ ପୋଲିସ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଥିଲେ ମଧ୍ୟ ଘଟଣାର ଅଗ୍ରଗତି ହୋଇନଥିଲା। ହତ୍ୟାକାରୀ ଧରା ନ ପଡିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି ଜୋର ଧରିଥିଲା । ପୋଲିସ ଏହି ଘଟଣାରେ ସନ୍ଦେହ କରି 3ଜଣକୁ ତଦନ୍ତ ପରିସରକୁ ଆଣି ପଚରାଉଚରା କରିଥିଲା ।
ପରେ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଯଶିପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀଙ୍କୁ ତଦନ୍ତ ଭାର ଦିଆଯାଇଥିଲା। କରଞ୍ଜିଆ ଏସଡିପିଓ ନାରାୟଣ ନାୟକ, ମହୁଲଡିହା ଥାନା ଅଧିକାରୀ ଶଶିଧର ସେଠୀ ଏହି ତଦନ୍ତରେ ସହଯୋଗ କରିଥିଲେ। ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ରିପୋର୍ଟ ଆସିବା ପରେ ପୋଲିସର ସନ୍ଦେହ ଘେରରେ ଥିବା ଜ୍ୟୋତିରାମଙ୍କୁ ଲାଏ ଡିଟେକସନ ଟେଷ୍ଟ ନିମନ୍ତେ ଗତ 12 ତାରିଖ ଦିନ ରାଜଧାନୀକୁ ନେଇଥିଲେ ।
ଲାଏ ଡିଟେକ୍ସନ ଟେଷ୍ଟ ପରେ ପୋଲିସ ସୁରାକ ପାଇ ତଦନ୍ତ କରିଥିଲା। ଯୁବତୀଙ୍କ ସହିତ ମୋବାଇଲ ରେ କଥା ହୋଇ ନଥିବା କଥା ଜ୍ୟୋତିରାମ କହିଥିବା ବେଳେ ମୋବାଇଲ କଲ୍ ରେକର୍ଡ ରୁ 120ଦିନ ରେ 108 ଥର ଯୁବତୀଙ୍କ ସହିତ କଥା ହୋଇଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଯୁବତୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ନିକଟରେ ଥିବା ନାଳରେ ଜ୍ୟୋତିରାମ ଧୋଇ ହୋଇ ଘରକୁ ପଳାଇ ଯାଇ ଟାଙ୍ଗିଆ କୁ ଘରେ ନେଇ ରଖିଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ