ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ସଡକ ଦୁର୍ଘଟଣା ଘଟିଛି । ଏଥିରେ ଏକ ଯାତ୍ରୀବାହୀ ବସର 40 ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଅନ୍ୟ ଏକ ସ୍ଥାନରେ ଟ୍ରକ ଓଲଟି ହେଲପରର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଯଶୀପୁର ଥାନା ଅନ୍ତର୍ଗତ ଜଶିପୁର ଛକରେ ଏକ ଯାତ୍ରୀବାହୀ ବସକୁ ପଛ ପଟୁ ଏକ 10 ଚକିଆ ଟ୍ରକ ଧକ୍କା ଦେବା ଫଳରେ 40 ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ଭୋର ୪ଟାରେ ଭୁବନେଶ୍ୱରରୁ ବହଳଦା ଅଭିମୁଖେ ଯାଉଥିବା ଡିସ୍କୋଭରୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି ଯଶୀପୁର ଛକରେ ଠିଆ ହୋଇଥିବା ସମୟରେ ପଛପଟୁ ଏକ 10 ଚକିଆ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସରେ ଥିବା ସମସ୍ତ 40 ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ରହିଛି । ଟ୍ରକ ଡ୍ରାଇଭରର ଆଖି ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସେପଟେ ଟ୍ରକଟିକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି ଜଶିପୁର ଥାନା ପୋଲିସ ।
ଅନ୍ୟପଟେ ଯଶୀପୁର ଥାନା ଅନ୍ତର୍ଗତ ଗହୀରାବାଙ୍କରେ ଏକ ପ୍ଲାଷ୍ଟିକ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରୁ ୩୦ ଫୁଟ ତଳକୁ ଖସିପଡିବା ଯୋଗୁଁ ଘଟଣାସ୍ଥଳରେ ହେଲପରର ମୃତ୍ୟୁ ହୋଇଛି । କିନ୍ତୁ ସୌଭାଗ୍ୟବଶତଃ ଟ୍ରକର ଡ୍ରାଇଭର ବଞ୍ଚି ଯାଇଥିବା ସୂଚନା ରହିଛି । ତେବେ ମୃତ ହେଲପରର ପରିଚୟ ମିଳି ପାରିନଥିବାବେଳେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ