ବାରିପଦା: ରାସ୍ତା ମଝିରେ ଖଟ ପକାଇ ବାଉଁଶ ଓ ଦଉଡିରେ ରାସ୍ତା ଅବରୋଧ କଲେ ମୟୂରଭଞ୍ଜ ଜିଲ୍ଲାର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । ବେତନଟୀ ଥାନା ଅନ୍ତର୍ଗତ ବରମାଇଲ ଛକର ୬୧ ନମ୍ବର ରାଜ୍ୟ ରାଜପଥର ବାରିପଦା-ଅମରଦା ରୋଡ଼କୁ ଅବରୋଧ କରିବାରୁ ଯାତାୟତ ଠପ ରହିବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଗାଡି ଅଟକି ରହିଥିଲା । ତେବେ ମୁଁ ଭଞ୍ଜପୁତ୍ର , ରାମଚନ୍ଦ୍ରଙ୍କ ପୁତ୍ର ମୋତେ ରନ୍ଧା ଖାଦ୍ୟ ମିଳୁ ଏଭଳି ଏକ ପୋଷ୍ଟର ମଧ୍ୟ ଲଗାଇଥିଲେ ବ୍ୟକ୍ତି ଜଣଙ୍କ ।
ଅଞ୍ଚଳବାସୀ ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ହଟି ନ ଥିଲେ । ଏହି ସମୟରେ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା ନିଜ କାର୍ଯ୍ୟରେ ଯୋଗ ଦେବାପାଇଁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ବେଳେ ତାଙ୍କ ଗାଡି ମଧ୍ୟ ଅଟକି ରହିଥିଲା । ତହସିଲଦାର ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଶେଷରେ ଗ୍ରାମବାସୀଙ୍କ ସହ ମିଶି ତହସିଲଦାର ଜୋର ଜବରଦସ୍ତ ରାସ୍ତାରୁ ବ୍ୟକ୍ତି ଜଣଙ୍କୁ ହଟାଇଥିଲେ ଓ ପରେ ଗାଡି ଚଳାଚଳ ସ୍ବଭାବିକ ହୋଇଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ