ରାଇରଙ୍ଗପୁର: ଲୁହାରଡ ଓ ବନ୍ଧୁକରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ। ମୟୁରଭଞ୍ଜ ରାଇରଙ୍ଗପୁରରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ 80 ହଜାର ଟଙ୍କା। ରୋହିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଯାମଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ରୋହିତଙ୍କ ବୟାନ ରେକର୍ଡ କରିଛି।
ଜିଲ୍ଲା ଯାମଦା ଥାନା କଇଁପୁର ଗ୍ରାମ ନିକଟରେ ତାଙ୍କ ଠାରୁ ଲୁଟ ହୋଇଛି। ଗୁରୁତର ଆହତ ଯୁବକ ଜଣକ ହେଲେ କଇଁପୁର ଗ୍ରାମର ରୋହିତ ନାଥ। ରାତି ସାଢେ ନଅଟା ସମୟରେ ଯାମଦା ବଜାରରେ ଥିବା ନିଜ ଗ୍ରୋସରୀ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ ରୋହିତ। ତେବେ ଘରକୁ ପହଞ୍ଚିବାକୁ ଆଉ କିଛି ସମୟ ଥିବାବେଳେ କଇଁପୁର ଗାଁ ନିକଟସ୍ଥ ଏକ ସ୍କୁଲ ପାଖରେ ଦୁଇଟି ବାଇକରେ ଚାରିଜଣ ଦୃର୍ବୁତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଗୁଳିମାଡ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ବ୍ୟବସାୟୀ।
କିନ୍ତୁ ଭାରସାମ୍ୟ ହରାଇ ସେ ତଳେ ପଡିଯିବା କ୍ଷଣି ଲୁହାରଡ ଓ ବନ୍ଧୁକ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରି ନଗଦ ଟଙ୍କା ଲୁଟି ନେଇଥିଲେ ଲୁଟେରା।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ