ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଅଘଟଣ । ଟାଟା ହିଟାଚି ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଜଣେ 8 ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧୀନରେ ଥିବା ଦୁମାଟାଣ୍ଡି ଗ୍ରାମରେ । ମୃତ ଶିଶୁପୁତ୍ରଟି ହେଲା ସେହି ଗାଁର ଦୁବରାଜ ମାଝିଙ୍କ ପୁଅ ସାଲଖାନ ମାଝି ।
ସୂଚନାନୁସାରେ, ଝରାଡିହି ଗ୍ରାମପଞ୍ଚାୟତ ଦୁମାଟାଣ୍ଡି ଗ୍ରାମ ନିକଟରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଶିଶୁପୁତ୍ରର ମା' ପୁମା ମାଝି ସଡକ ନିର୍ମାଣ କାମରେ ବ୍ୟସ୍ତ ଥିବାବେଳେ ଶିଶୁଟି ରାସ୍ତାକଡରୁ ଟିକେ ଦୂରତାରେ ଶୋଇ ଯାଇଥିଲା । ହିଟାଚି ଚାଳକ ଶିଶୁଟି ଶୋଇଥିବା ଜାଣିନପାରି ଗାଡିକୁ ପଛକୁ ନେବା ସମୟରେ ଶିଶୁର ବାମପଟ ମୁଣ୍ଡ କାନ ତଳ ହିଟାଚିର ଚେନରେ ଚାପି ଯାଇଥିଲା । ଶିଶୁଟି ଯନ୍ତ୍ରଣାରେ ଚିତ୍କାର କରିଥିଲା । ମାତ୍ର ତା' ମୁଣ୍ଡର କିଛି ଅଂଶ ନଷ୍ଟ ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ହିଟାଚି ଚାଳକ ଓ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଘଟଣାସ୍ଥଳରେ କେବଳ ମହିଳାମାନେ ଉପସ୍ଥିତ ଥିବାରୁ କେହି କିଛି ବୁଝିନପାରି ମୃତ ଶିଶୁକୁ ଘରକୁ ନେଇ ଆସିଥିଲେ। ପରେ ଖବର ପାଇ ତିରିଂ ପୋଲିସ ପହଞ୍ଚି ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରିଛି । ଏଥିସହିତ ଦୁର୍ଘଟଣା ଘଟାଇଥିବା ଟାଟା ହିଟାଚି ଗାଡିକୁ ଜବତ କରି ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ