ବାରିପଦା: ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ । 9 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ । ଫାଶୀଦଣ୍ଡ ସହ ଦୁଇଟି ମାମଲାରେ 25 ହଜାର ଟଙ୍କାର ଆର୍ଥିକ ତଣ୍ଡ ମଧ୍ୟ କୋର୍ଟ ଶୁଣାଇଛନ୍ତି । ଆଜି (ବୁଧବାର) ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ ଓ କାର୍ଯ୍ୟାଳୟ-1 ପୋକ୍ସ କୋର୍ଟ ନିଜ ରାୟରେ ଏହା ଶୁଣାଇଛନ୍ତି ।
ଗତ ବର୍ଷ ଜୁନ 16ରେ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଗରୁଡବସା ଗାଁର ଜାମିନିକାନ୍ତ ମହାନ୍ତ ସେହି ଗାଁର 9 ବର୍ଷର ଜଣେ ନାବାଳିକାକୁ ମେଲଣ ଦେଖାଇବା ନାଁରେ ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେଇଥିଲା । ଏନେଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ବର୍ଷକ ପରେ ଆଜି ଏହି ମାମଲାର ରାୟ ଶୁଣାଇ ଦୁଷ୍କର୍ମକାରୀ 35 ବର୍ଷୀୟ ଜାମିନିକାନ୍ତ ମହାନ୍ତକୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ସେପଟେ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଚ କରାଯିବ ବୋଲି ପ୍ରତିପକ୍ଷ ଓକିଲ କହିଛନ୍ତି ।
ତେବେ ନିକଟରେ ଅନୁଗୋଳ ପରେ ଦୁଷ୍କର୍ମକାରୀକୁ ଏହା ଦ୍ବିତୀୟ ଫାଶୀଦଣ୍ଡ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ