ରାଇରଙ୍ଗପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ଜାତୀୟ ଉଦ୍ୟାନରେ ଏବେ ବି ଏମିତି ଅନେକ ସୁନ୍ଦର ମନଲୋଭା ସ୍ଥାନ ଅଛି ଯେଉଁଗୁଡିକ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ମୟୂରଭଞ୍ଜ ଜିଲ୍ଲାର 'ମୟୂରଭଞ୍ଜ ମିରର' ନାମକ ଏକ ସଂଗଠନ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଏକ ଆକର୍ଷଣୀୟ ଅନାଲୋଚିତ ଜଳପ୍ରପାତ ଆବିଷ୍କାର କରିଛି । ଏହି ଜଳପ୍ରପାତର ଉଚ୍ଚତା ପ୍ରାୟ ୧,୧୧୫ ଫୁଟ ଏବଂ ଅଭୟାରଣ୍ୟର ବାସିପିଠା ନିକଟରେ ଥିବା ସୁବର୍ଣ୍ଣ ମଞ୍ଜରୀ ଠାରୁ ପାଖାପାଖି ୫ କି.ମି. ଗଭୀର ଜଙ୍ଗଲ ମଧ୍ୟରେ ଏହା ଆବିଷ୍କୃତ ହୋଇଛି ।
ପାହାଡ଼ରେ ବୁକୁ ଚିରି ଝରି ଆସୁଥିବା ଥିବା ୧୧୧୫ ଫୁଟ ଉଚ୍ଚର ଏହି ଜଳପ୍ରପାତର ୬ଟି ସ୍ତର ରହିଛି । ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ର ଭିତର ଦେଇ ବହୁଥିବାର ଦେଖିବାକୁ ମିଳିଛି । ଜଳପ୍ରପାତଟି ଦୂରରୁ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହା ଆବିଷ୍କୃତ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ମୟୂରଭଞ୍ଜ ମିରର ସଂଗଠନ ଦୀର୍ଘ ବର୍ଷ ହେବ କାର୍ଯ୍ୟରତ ରହିଛି । ସଂଗଠନର ସଦସ୍ୟମାନେ ଘଞ୍ଚ ଜଙ୍ଗଲ ଦେଇ ପାହାଡିଆ ରାସ୍ତାରେ ଚଢି ଉକ୍ତ ଜଳପ୍ରପାତକୁ ଆବିଷ୍କାର କରିଥିଲେ । ତେବେ ଶିମିଳିପାଳ ଅଭୟାରଣ୍ୟର ପାରିପାର୍ଶ୍ଵରେ ଅନେକ ଝରଣା ଥିବାବେଳେ ନୂତନ ଭାବେ ନଜର ଆସିଥିବା ଉକ୍ତ ଜଳପ୍ରପାତର ବିକାଶ ହେଲେ ନିଶ୍ଚିତ ଭାବେ ଆସନ୍ତା ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକ ସୁଅ ଛୁଟିବ ଏଥିରେ ସନ୍ଦେହ ନାହିଁ ।
ଏହାମଧ୍ୟ ପଢନ୍ତୁ: କାଇ ଚଟଣୀକୁ ମିଳିବ ଜିଆଇ ଟ୍ୟାଗ, ଖୁସି ବ୍ୟକ୍ତ କଲା କାଇ ସମାଜ
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଜୈବମଣ୍ଡଳର ଆୟତନ ହେଉଛି ୨୭୫୦ ବର୍ଗ କି.ମି । ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତମାଳା, ଭାସମାନ ମେଘମାଳା ଓ କଳକଳ ନାଦ କରି ବହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଅଟନ୍ତି ।
ସମୁଦ୍ର ପତ୍ତନ ଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ହେଉଛି ୯୦୦ ମି.। ଏଠାରେ ବିଭିନ୍ନ ପ୍ରକାର ର ବୃକ୍ଷ ଦେଖାଯାଏ ଯଥା ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣସ ଇତ୍ୟାଦି । ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳରୁ ଉତ୍ପନ୍ନ ହୋଇଛନ୍ତି । ବରେହିପାଣି (୪୦୦ ମି.) ଓ ଯୋରନ୍ଦା ଜଳପ୍ରପାତ (୧୫୦ ମି.)ର ଦୃଶ୍ୟ ଅତୀବ ମନୋରମ ।
ଇଟିଭି ଭାରତ, ରାଇରଙ୍ଗପୁର