ମାଲକାନଗିରି: ପାହାଡ ପର୍ବତ ଘେରା ମାଓ ପ୍ରବଣ କୁହାଯାଉଥିବା ମାଲକାନଗିରି ଜିଲ୍ଲା । ଏହି ଜିଲ୍ଲାର 7ଟି ବ୍ଲକରେ 111ଟି ପଞ୍ଚାୟତ ରହିଛି । ଏହି ୭ଟି ବ୍ଲକର ଉନ୍ନୟନମୂଳକ କାମର ଦାୟିତ୍ବ ରହିଥାଏ DRDA କାର୍ଯ୍ୟାଳୟର । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି କିନ୍ତୁ, ଲୋକଙ୍କ ପାଖରେ ଏହିସବୁ ଯୋଜନାମାନ ପହଞ୍ଚିବା ବିଳମ୍ବ ହେବା ସହ ଜିଲ୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ।
ପୂର୍ବରୁ ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ରହୁଥିବା 151ଟି ଗାଁକୁ ଉନ୍ନତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ତିନି ବର୍ଷ ପୂର୍ବେ ଗୁରୁପ୍ରିୟା ସେତୁ ଉଦଘାଟନ କରି ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ରୂପେ ଘୋଷଣା କରିଥିଲେ ଏବଂ ସେତୁ ଯୋଜନାରେ ଏ ଅଞ୍ଚଳର ଉନ୍ନତି ପାଇଁ ସହ ସହ କୋଟି ଟଙ୍କାର ଅନୁମୋଦନ ବି କରିଛନ୍ତି କିନ୍ତୁ, ଉନ୍ନୟନ ମୂଳକ କାର୍ଯ୍ୟ ହେବାରେ ବହୁ ବିଳମ୍ବ ହେଉଛି । ଏଭଳି ମନ୍ଥର ଗତିରେ କାମ ଖାଲି ସ୍ବାଭିମାନ ଅଞ୍ଚଳରେ ନୁହେଁ ସମ୍ପୂର୍ଣ୍ଣ ଜିଲ୍ଲାରେ ଏପରି ଅବସ୍ଥା । ଏଣୁ ଜିଲ୍ଲାରେ ଉପଯୁକ୍ତ ଭିତ୍ତିଭୂମି ଥିଲେ ମଧ୍ଯ ପଞ୍ଚାୟତରାଜ ବିଭାଗରେ ବହୁ ସରକାରୀ ପଦବି ଖାଲି ରହିଥିବା ହେତୁ ହିତାଧିକାରୀଙ୍କ ପାଖରେ ବହୁ ଯୋଜନାମାନ ଏବଂ ଅଞ୍ଚଳର ଉନ୍ନୟନ କାମ ପହଞ୍ଚିବାରେ ବିଳମ୍ବ ହେଉଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି ।
ଜିଲ୍ଲାରେ 111ଟି ପଞ୍ଚାୟତ ଥିବାବେଳେ 86 ଜଣ PEO ରହିଥିବା ଜଣାପଡିଛି । ପଞ୍ଚାୟତ ଗୁଡିକରେ ଭତ୍ତା ବଣ୍ଟନ, ଚାଉଳ ବଣ୍ଟନ, ଗ୍ରାମିଣ ଆବାସ ଯୋଜନା, MGNREGA ଯୋଜନା, ଗ୍ରାମ ସଭା, ପଲ୍ଲିସଭା ଭଳି ସମୁଦାୟ 27ଟି ବିଭାଗର କାମ ଚାଲିଥିବା ବେଳେ ପଞ୍ଚାୟତ ଗୁଡିକରେ PEOଙ୍କ ସଂଖ୍ୟ କମ । ଫଳରେ ଜଣେ ଜଣେ PEO 2ରୁ 3ଟି ପଞ୍ଚାୟତ ଦାୟିତ୍ବରେ ରହିଛନ୍ତି । ସେହିଭଳି ଜିଲ୍ଲାରେ 9 ଜଣ ସହକାରୀ ଯନ୍ତ୍ରୀ ଦରକାର ଥିବାବଳେ ଅଛନ୍ତି ମାତ୍ର 3 ଜଣ, ଖାଲିପଡିଛି 6 ପଦବୀ, କନିଷ୍ଠ ଯନ୍ତ୍ରୀ 38 ଜଣ ରହିବା ଜାଗାରେ ଅଛନ୍ତି 15 ଜଣ, ଖାଲି ପଡିଛି 23 ପଦବୀ ।
ସେହିଭଳି ଗ୍ରାମପଞ୍ଚାୟତ ଟେକ୍ନିକାଲ ପଦବୀରେ ଅଣଚାଶ(49) ଜଣଙ୍କ ସ୍ଥାନରେ ଅଛନ୍ତି 13ଜଣ ଖାଲି ରହିଛି ଛତିଶି(36) ଟି ପଦବୀ, ସେହିଭଳି GPO 7ରୁ 3 ଜଣ ଅଛନ୍ତି 4ଟି ପଦବୀ ଖାଲି ରହିଛି । ଏଭଳି ଜାଗାରେ କିଭଳି ଉନ୍ନୟନ ମୂଳକ କାମ ହେବ ସାଧାରଣରେ ପ୍ରଶ୍ନ ଉଠୁଛି । ଏଥିନେଇ PD DRDA ବାଳମୁକୁନ୍ଦ ଭୁୟାଁଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି, ସରକାରଙ୍କୁ ଏ ବିଷୟରେ ଜଣାଯାଇଛି, ସରକାର ଯଦି ଏହି ପଦବୀ ଗୁଡିକୁ ପୂରଣ କରିବେ ତାହେଲେ ଜିଲ୍ଲାରେ ଉନ୍ନୟନମୂଳକ କାମ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ