ମାଲକାନଗିରି: କୋରୋନାର ମହାମାରୀ ସାରା ଦେଶକୁ କବଳିତ କରି ରଖିଥିବାବେଳେ ଏଥିରୁ ବଣ୍ଡାଘାଟି ବି ବାଦ ପଡିନାହିଁ। ବଣ୍ଡାଘାଟିରେ କରୋନା ସଂକ୍ରମଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ,ଜିଲ୍ଲା ପ୍ରଶାସନ,ବିଭିନ୍ନ ଏନଜିଓ ତତ୍ପରତା ଦେଖାଇଥିବା ବେଳେ ଆଜି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ବଣ୍ଡାଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଆଜି ସକାଳେ ମାଲକାନଗିରି ସୀମାର ପ୍ରବେଶ ପଥ ଗୋବିନ୍ଦପାଲ୍ଲୀ ଠାରେ ମନ୍ତ୍ରୀ ସାରକାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଖଇରପୁଟ ବ୍ଲକର ବଣ୍ଡାଘାଟି ବାଣ୍ଡିଗୁଡା ଗ୍ରାମରେ ମନ୍ତ୍ରୀ ପହଞ୍ଚିଥିଲେ। ସେଠାରେ ବଣ୍ଡା ସମ୍ପ୍ରଦାୟର ଲୋକଙ୍କୁ ଭେଟି କରୋନା ସଚେତନତା କରାଇବା ସହ ରନ୍ଧାଖାଦ୍ୟ ସହ ମାସ୍କ ବଣ୍ଟନ କରିଥିଲେ। ଲୋକଙ୍କୁ ସୁବିଧା ଅସୁବିଧା କଥା ମଧ୍ୟ ପଚାରି ବୁଝିବା ସହ ସ୍ଥାନୀୟ ପ୍ରଶାସନ ତରଫରୁ କିଭଳି ସହଯୋଗ କରାଯାଉଛି ସେନେଇ ମଧ୍ୟ ପଚାରିଥିଲେ।
ପରେ ମୁଦୁଲିପଡା ଠାରେ ରହିଥିବା ଟିଏମସିରେ ସଂକ୍ରମିତ କରୋନା ରୋଗୀଙ୍କୁ ଭେଟି ସେମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବୁଝିଥିଲେ। ବଣ୍ଡାଘଆଟିରେ ଯେପରି ଏହି ସଂପ୍ରଦାୟର କୌଣସି ଅସୁବିଧା ନହୁଏ ସେନେଇ ପ୍ରଶାସନ ସହ ଆଲୋଚନା କରିଥିଲେ। ବଣ୍ଡା ଉନ୍ନୟନ ସମିତି ପକ୍ଷରୁ ସହାୟତା କରାଯାଉଛି କି ନାହିଁ ବୋଲି ପଚାରି ବୁଝିବା ସହ ଜିଲ୍ଲାରେ ବାସ କରୁଥିବା ଅନ୍ୟ ଆଦିମ ଜନଜାତି ଡିଡାଇ ସଂପ୍ରଦାୟର ଲୋକଙ୍କୁ ପୁରୁଣାଗୁଡା ଗ୍ରାମରେ ଭେଟିଥିଲେ। ଲୋକଙ୍କୁ କରୋନାର ଭୟାବହତା ସମ୍ପର୍କରେ ସଚେତନ କରାଇବା ସହ ରନ୍ଧା, ସୁଖିଲା ଖାଦ୍ୟ ମାସ୍କ ବଣ୍ଟନ କରିଥିଲେ।
ମନ୍ତ୍ରୀଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପୁଲିସ କଡାକଡି କରିଥିଲା।ଏହି ଗସ୍ତରେ ମନ୍ତ୍ରୀଙ୍କ ସହ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ପଟାଙ୍ଗି ବିଧାୟକ ପ୍ରିତମ ପାଢୀ, ବିହନ ନିଗମର ଅଧ୍ୟକ୍ଷ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ଶିଶୁ କଲ୍ୟାଣ ବିଭାଗର ଅଧ୍ୟକ୍ଷ ସୁଧିର ଦାସ, ମାଲକାନଗିରି ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା କୁମୁଦିନି କିରସାନି,ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ଧାଙ୍ଗଡାମାଝି,ବିଡିଓ ହୃଦାନନ୍ଦ ସାହୁ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି,ଆଇଆଇସି କମଳାକାନ୍ତ ବସନ୍ତ କଅଁର,ଡିଡାଇ ଉନ୍ନୟନ ସଂସ୍ଥାରେ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ