ମାଲକାନଗିରି: ଚିକିତ୍ସା ଅବହେଳା ଯୋଗୁଁ ନାବାଳିକାର ମୃତ୍ୟୁ ଅଭିଯୋଗ । ମାଲକାନଗିରି ଜିଲ୍ଲା 119 କଲୋନୀରୁ ଏହି ଅଭିଯୋଗ ଆସିଛି । ସେଠାରେ ରହୁଥିବା ସହଦେବ ନାଗଙ୍କ 7 ବର୍ଷୀୟା ଝିଅ ଏଲିସା ନାଗ ଅସୁସ୍ଥ ହୋଇ ଏସିବିରେ ଭର୍ତ୍ତି ହୋଇଥିଲା । ଚିକିତ୍ସା ଅବହେଳା ଯୋଗୁଁ ମେଡିକାଲରେ ଝିଅଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ସୂଚନାଯୋଗ୍ୟ, ନାବାଳିକା ଛୋଟ ଥିବାବେଳେ ତା'ର ଗୋଟିଏ ହାତ ପୋଡି ଅକାମି ହୋଇଯାଇଥିଲା । ତେବେ ବହୁବାର ଝିଅର ଚିକିତ୍ସା ପାଇଁ ମାଲକାନଗିରି ମେଡିକାଲ ନିଆଯିବା ପରେ ଗତ ମାର୍ଚ୍ଚ 1 ତାରିଖରେ ଝିଅକୁ ଉତ୍ତମ ଚିକିତ୍ସା ପାଇଁ କଟକ ଏସସିବିକୁ ପଠା ଯାଇଥିଲା । ସେଠାରେ ଚିକିତ୍ସା ପରେ ଝିଅଟି ଆଖି ବୁଜିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମୃତଦେହକୁ କଟକ ଏସସିବିରୁ ଆଣି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଶତାଧିକ ଲୋକେ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ