ମାଲକାନଗିରି: ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ଆଦିବାସୀଙ୍କ ସ୍ବପ୍ନର ସେତୁ ଗୁରୁପ୍ରିୟା । ହେଲେ ଏଯାଏଁ ବଦଳି ନାହିଁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର । ୧୫୧ଟି ଗାଁ ମଧ୍ୟରୁ ପ୍ରାୟ ୧୨୦ଟି ଗାଁର ଲୋକେ ଏବେ ବି ଜଳପଥରେ ନିର୍ଭରଶୀଳ । ମୌଳିକ ସୁବିଧା ଯେଉଁ ମାନଙ୍କ ପାଇଁ ସାତସପନ ହୋଇ ରହିଛି ସେମାନଙ୍କ ବିକାଶ କଥା ଆମେ ଚିନ୍ତା କରିବା କେମିତି । ତେବେ କିଭଳି ରହିଛି ବାସ୍ତବ ଚିତ୍ର ଆସନ୍ତୁ ଦେଖିବା ଇଟିଭି ଭାରତର ସ୍ପେଶିଆଲ ରିପୋର୍ଟ ।
ଦିନ ଥିଲା 2018 ଜୁଲାଇ ୨୬ ତାରିଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ । ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କରି ୬ ଦଶନ୍ଧିର ସମସ୍ୟା ଦୂର ହେଲା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଆଦିବାସୀ ଇଲାକାରେ ନୂତନ ଆଶା ସୃଷ୍ଟି କରିଥିଲା । ଇତି ମଧ୍ୟରେ ବିତିଛି ଦେଢବର୍ଷ । ଆଉ ବାସ୍ତବତା ଦେଖିବାକୁ ଆମେ ପହଞ୍ଚିଥିଲୁ ସେଠାରେ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ସେତୁ ନୁହେଁ, ଦେଶୀ ଡଙ୍ଗା ପାଲଟିଛି ଯାତାୟତର ମାଧ୍ୟମ ।
ବିପଦଶଙ୍କୁଳ ଅବସ୍ଥାରେ ଆମେ ବି ଦେଶୀ ଡଙ୍ଗାରେ ଯାଇ ପହଞ୍ଚିଥିଲୁ ସନ୍ନ୍ୟାସିଗୁଡା ଗାଁରେ । ପରେ ଯୋଡାମ୍ବ, ଅଣ୍ଡ୍ରାପାଲ୍ଲି, ଯନ୍ତ୍ରୀ, ପଣଷପୁଟ, ଓ ଗାଜଲ ମାମୁଡି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ସ୍ଥିତି ପରଖିଥିଲୁ । ଅର୍ଦ୍ଧନଗ୍ନ ବିକାଶର ଛବି ଆଢୁଆଳରେ ଦେଖିବାକୁ ମିଳିଥିଲା ଆଦିବାସୀଙ୍କ ପୁଳାପୁଳା ଦୁଃଖ ଓ ଦୁର୍ଦ୍ଦଶା । ନା ଦୁଇ ଓଳି ଖାଇବା ମିଳୁଛି ନା ବିଶୁଦ୍ଧ ପାଣି । ଦିନ ତମାମ ଅପେକ୍ଷା କରି ଚୁଆରୁ ଗରାଏ ଗରାଏ ପାଣି ସଂଗ୍ରହ କରି ଘରକୁ ଫେରୁଥିବା ମହିଳାଙ୍କ ଦୃଶ୍ୟ ବ୍ୟଥିତ କରିଥିଲା । ସ୍ବାସ୍ଥ୍ୟ ଆଉ ଶିକ୍ଷା ବ୍ୟବସ୍ଥାର ଚିତ୍ର ଆପଣଙ୍କ ସାମ୍ନାରେ ।
ଯୋଗସୂତ୍ର ରକ୍ଷା ପାଇଁ ଗୁରୁପ୍ରିୟା ଇନ୍ଦ୍ରାବତୀ ଛାତି ଉପରେ ଛିଡ଼ା ହୋଇଛି । ହେଲେ ରାଜନୀତିର ପଶାପାଲିରେ ବିକାଶ କିନ୍ତୁ ଗୁରୁପ୍ରିୟା ଦେଇ ସ୍ବାଭିମାନ ଅଞ୍ଚଳରେ ପହଞ୍ଚି ପାରିନାହିଁ । ଆଜି ବି ବିକାଶର ସାମାନ୍ୟ ଝଲକକୁ ଅପେକ୍ଷା କରିଛି ସ୍ବାଭିମାନ ଅଞ୍ଚଳ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ