ମାଲକାନଗିରି: ଜିଲ୍ଲାର ଲଘୁଖଣି ଟେଣ୍ଡର ବନ୍ଦ ହେବା ପରେ ଏଥିରେ ସମ୍ପୃକ୍ତ ଥିବା ପୁଞ୍ଜିପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ 23 ରେ ମାଲକାନଗିରିରେ 48 ଟି ଲଘୁଖଣି ଟେଣ୍ଡରକୁ ରଦ୍ଦ କରିଛନ୍ତି ଜିଲ୍ଲାପାଳ ।
ସୂଚନା ଅନୁଯାୟୀ ପୂର୍ବତନ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ସମୟରେ ଲଘୁଖଣି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତାକୁ ଆଧାରକରି ବର୍ତ୍ତମାନର ଜିଲ୍ଲାପାଳ ମାଲକାନଗିରିରେ 48 ଟି ଲଘୁଖଣି ଟେଣ୍ଡେରକୁ ରଦ୍ଦ କରିଛନ୍ତି । ପ୍ରଶାସନର ଏପରି ପଦକ୍ଷେପକୁ ରାଜନୈତିକ ସ୍ତରରେ ପ୍ରଶଂସା ମଧ୍ୟ କରାଯାଇଛି । ସେହିପରି ପୂର୍ବତନ ସାଂସଦ ତଥା ରାଜ୍ଯ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଏହାକୁ ସ୍ବାଗତଯୋଗ୍ୟ ପଦକ୍ଷେପ କହିବା ସହ ଦୁର୍ନୀତିରେ ଜଡିତ ଥିବା ଅଧିକାରୀ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ପୁଞ୍ଜିପତି ଭେନୁ ଗୋପାଲାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯଦି ଯଥାଶୀଘ୍ର ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଜିଲ୍ଲା କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।
ଏଥିସହ ଆଗାମୀ ଦିନରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା (DRDA) ମାଧ୍ୟମରେ ସମ୍ପାଦନ ହେଉଥିବା ସ୍ବଚ୍ଛ ଭାରତ ମିସନ୍, ମନରେଗାର ପୋଖରୀ ଖନନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରାଯିବ ବୋଲି କହିଛନ୍ତି ପ୍ରଦୀପ ମାଝୀ ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ