ମାଲକାନଗିରି: ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର କରୁଣ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇପାରିଲାନି ୧୦୮ ଆମ୍ବୁଲାନ୍ସ । ଫଳରେ ଭାରରେ ବୁହା ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଚେପୁଲପଡା ଗ୍ରାମରେ ।
ସୂଚନା ମୁତାବକ ଚେପୁଲପଡା ଗ୍ରାମର ଗବର୍ଦ୍ଧନ ଖିଲ ନାମକ ଜଣେ ଯୁବକ ଗଛରୁ ପଡି ତାଙ୍କର ଗୋଡ ଭାଙ୍ଗିଯିବା ସହ ସେ ଗୁରୁତର ହୋଇପଡ଼ିଥିଲେ । ଘଞ୍ଚ ଜଙ୍ଗଲ ଖାଲ ଢିପ, ପଥୁରିଆ ରାସ୍ତାରେ ଭାର କରି କିଛି ସ୍ଥାନୀୟ ଲୋକେ ଯୁବକଙ୍କୁ ମେଡିକାଲ ନେଇଛନ୍ତି ।ସ୍ବାସ୍ଥ୍ୟସେବା ଲାଗି ଆଦିବାସୀ ଲୋକେ ନିଜ ଜୀବନକୁ ବାଜି ଲଗାଇ ନଦୀ ନାଳ ପାର ହୋଇ ମାଇଲ ମାଇଲ ରାସ୍ତା ଏମିତି ଚାଲିଚାଲି ଯାଉଛନ୍ତି । ସ୍ୱାଭିମାନ ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି କେବେ ପଡିବ ସେ ଅପେକ୍ଷାରେ ଅଞ୍ଚଳବାସୀ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ