ମାଲକାନଗିରି: ଜିଲ୍ଲାର ମୋଟୁ ଅଞ୍ଚଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଜିଲ୍ଲାର କାଲିମେଳା ବ୍ଲକ ରମଟୁ, ଆଲମା, ମୁରଲିଗୁଡା ପଞ୍ଚାୟତର ବହୁଗାଁ ବୁଲି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ।
ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ବନ୍ୟା ହୋଇଥିବା ଅଞ୍ଚଳରେ ଲୋକଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି ନବରଙ୍ଗପୁର ସାଂସଦ । ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ବନ୍ୟା କ୍ଷତିଗ୍ରସ୍ତଙ୍କୁ କ’ଣ ସବୁ ସୁବିଧା ପ୍ରଦାନ କରାଯାଇଛି ସେନେଇ ଆଲୋଚନା କରିବା ସହ କ୍ଷୟକ୍ଷତି ନେଇ ମଧ୍ୟ ଆଲୋଚନା କରିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ‘ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ’ ବୋଲି କହିଛନ୍ତି ସାଂସଦ ରମେଶ ମାଝୀ । ସାଂସଦଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ।
ମୋଟୁ ତହସିଲ ଅନ୍ତର୍ଗତ ବିନାୟକପୁରରେ ଜଳସ୍ତର କମି ନଥିବା ବେଳେ କିଛି ଘର ଜଳ ଘେରରେ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଅନ୍ଧ୍ରର କାଲେରରେ ମଧ୍ୟ ଜଳସ୍ତର ବଢ଼ିବା ଯୋଗୁଁ ମୋଟୁରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେଠାକୁ ମଧ୍ୟ ସାଂସଦ ଗସ୍ତ କରି ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ସାଂସଦଙ୍କ ସହ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାମାରୀ ତାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଦଳୀୟ କର୍ମୀ ଓ ନେତାଙ୍କ ସହ ମୋଟୁ ଅତିରିକ୍ତ ତହସିଲଦାର ସବିର ସାହା, କାଲିମେଳା ବିଡିଓ ଉମାଶଙ୍କର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ କି, ଗତ ଜୁଲାଇ 20 ତାରିଖରେ ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହ ଏକ ଟିମ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ । ପୋଲାଭରମ ପ୍ରକଳ୍ପ ନେଇ ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିିତି ସୃଷ୍ଟି ହୋଇଥିବା କହିଥିଲେ ବିଜେଡି ନେତା ପ୍ରଦୀପ ମାଝୀ ।