ନବରଙ୍ଗପୁର: ପ୍ରେମ କଲା ବାୟା । ଚାରି ଛୁଆଙ୍କୁ ଛାଡି ପ୍ରେମିକ ସହ ଫେରାର୍ ହୋଇଗଲା ମାଆ । ଖାଲି ସେତିକି ନୁହେଁ, ଯିବା ସମୟରେ ମହିଳା ଜଣକ ଘରୁ ସମସ୍ତ ଟଙ୍କା ଓ ସୁନାଗହଣା ନିଜ ସାଙ୍ଗରେ ନେଇ ପଳାଇଥିବାର ଅଭିଯୋଗ ହୋଇଛି । ବିଗତ କିଛି ଦିନ ମଧ୍ୟରେ ଆପଣ ଅନେକ ପ୍ରେମିକ-ପ୍ରେମିକାଙ୍କ ଅଜବ କାରନାମା ଶୁଣିଥିବେ ନିଶ୍ଚୟ । ହେଲେ ଜଣେ ମାଆ ନିଜ କୁନି କୁନି ଛୁଆଙ୍କୁ ଛାଡି ପ୍ରେମିକ ସହ ଛୁ ମାରିବା ବର୍ତ୍ତମାନ ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି । ସମସ୍ତଙ୍କୁ ହତବାକ୍ କଲା ଭଳି ଏହି ଘଟଣା ସାମ୍ନାକୁ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଫୁଲଭାଟା ଗ୍ରାମରୁ ।
ଏହି ବିବାହିତ ମହିଳା ଜଣକ ପାଖ ସାନଗୁମଡ଼ା ଗ୍ରାମର ସଦନ ମିରଗାନ ନାମକ ଯୁବକଙ୍କ ସହ ଫେରାର ହେଇଯାଇଛନ୍ତି । ମହିଳାଙ୍କ ୪ଟି ସନ୍ତାନ ରହିଛି । ଏବେ ଏହି ନିରୀହ ପିଲାମାନେ ନିଜ ମାଆର ଫେରିବା ବାଟକୁ ଅନାଇ ବସିଛନ୍ତି । ସେପଟେ ସ୍ତ୍ରୀ ଘରୁ 35 ହଜାର ଟଙ୍କା ଓ ସୁନାଗହଣା ନେଇ ଫେରାର ହୋଇଯାଇଥିବାରୁ ସ୍ବାମୀ ବନ୍ଧୁ ଗୌଡ ଏ ସମ୍ପର୍କରେ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ଦୁଇ ଦିନ ବିତି ସାରିଥିବା ବେଳେ ବିଚରା ସ୍ବାମୀ ଛୁଆଙ୍କୁ ଧରି ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଧାଇଁ ଆସୁଛନ୍ତି । ତେବେ ପୋଲିସ ପ୍ରଶାସନ ଏହି ମାମଲାରେ କ'ଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।