ମାଲକାନଗିରି: ବୃଦ୍ଧ କିନ୍ନର ମାଳତୀଙ୍କୁ ସାହାଯ୍ୟର ହାତ ବଢାଇଲେ ମୀରା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲିର ବୃଦ୍ଧା ଆଶ୍ରମରେ ଆଶ୍ରୟ ନେଇଥିବା କିନ୍ନର ମାଳତୀ ଗଲୋରୀଙ୍କ ଅସହାୟତା ସମ୍ପର୍କିତ ଖବର ଚର୍ଚ୍ଚା ହେବା ପରେ ମାଳତୀଙ୍କୁ ଭେଟିଛନ୍ତି କିନ୍ନର ସଂଘର ସଭାନେତ୍ରୀ ମୀରା ପରିଡା । ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ସହିତ ମୁଖ୍ୟସ୍ରୋତରେ ସାମିଲ କରିଥିବା ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୀରା ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବୃଦ୍ଧା ମାଳତୀଙ୍କ ଦୁର୍ଦ୍ଦଶା ଓ ଅସହାୟତା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏ ସମ୍ପର୍କରେ ଜାଣିବା ପରେ ବୃଦ୍ଧାଙ୍କ ନିକଟକୁ ସାହାଯ୍ୟର ହାତ ଲମ୍ବି ଆସିଛି । ମଙ୍ଗଳବାର ଦିନ ମୀରା ମାଳତୀଙ୍କୁ ଭେଟି 25 ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ତାଙ୍କୁ ଘର, ପେନସନ ଓ ରାସନ ଯୋଗାଇ ଦେବା ପାଇଁ ତହସିଲଦାର ଓ ବିଡିଓଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ସହିତ କିନ୍ନର ସଂଘ ସମ୍ପାଦିକ ମେଘନା ସାହୁ ଓ ଉପ ସଭାନେତ୍ରୀ ଶ୍ରୃତି ସାହୁ ପ୍ରମୁଖ ମାଳତୀଙ୍କୁ ଭେଟିଛନ୍ତି । ଏହି ସମୟରେ ଜିଲ୍ଲା ବିଜେଡି କର୍ମକର୍ତ୍ତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ