ମାଲକାନଗିରି: ଖରା ଆରମ୍ଭରୁ ଦାଉ ସାଧୁଛି ଜଳ ସଙ୍କଟ । ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତିି ଲୋକେ । ଖରାଦିନ ଆସିଲେ ମାଲକାନଗିରି ଜିଲ୍ଲାରେ ବଢିଯାଏ ଜଳ ଯନ୍ତ୍ରଣା । ମାଇଲ ମାଇଲ ବାଟ ଚାଲି ଚୁଆ ପାଣିରେ ଲୋକେ ଶୋଷ ମେଣ୍ଟାନ୍ତି । ସମୟ ସରି ସରି ଯାଉଥିଲେ ହେଁ ଜିଲ୍ଲାରେ ଆଗେଇ ପାରୁନି ମେଗା ପାଇପ ୱାଟର ପ୍ରୋଜେକ୍ଟ କାମ । ୨୦୨୦/୨୦୨୧ ମସିହାରୁ ଆରମ୍ଭ ହୋଇ ଥିବା ମେଗା ପାଇପ ୱାଟର ପ୍ରୋଜେକ୍ଟ କାମ ଆଜି ପର୍ଯ୍ୟନ୍ତ ସରି ପାରୁନଥିବା ବେଳେ ମୁଖ୍ୟମନ୍ତ୍ରୀ ଚଳିତବର୍ଷ ପୁଣି ୪ଟି ମେଗା ପାଇପ ୱାଟର ପ୍ରୋଜେକ୍ଟ କାମର ଘୋଷଣା କରିଛନ୍ତି । ହେଲେ ପାଣି ଅପେକ୍ଷାରେ ଜିଲ୍ଲାବାସୀ ।
ଜିଲ୍ଲାରେ ଜଳ ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୯ ମସିହାରେ ଜିଲ୍ଲାରେ ୧୦ଟି ମେଗା ପାଇପ ୱାଟର ସପ୍ଲାଇ ପ୍ରୋଜେକ୍ଟକୁ ମଞ୍ଜୁର କରିଥିଲେ । ଏଥି ମଧ୍ୟରୁ କାଲିମେଳା ବ୍ଲକର ୫ଟି ପଞ୍ଚାୟତର ,୨୧ଟି ଗାଁର, ୫୮୬୫ ଘର ଓ ମାଲକାନଗିରି ବ୍ଲକର ୫ଟି ପଞ୍ଚାୟତର ୩୩ଟି ଗାଁର ୬୨୮୬ଟି ଘରକୁ ପାଣି ପହଞ୍ଚାଇବା ପାଇଁ ପଟେରୁ ନଦୀରେ ଭେଙ୍କଟାପାଲମ ଓ ଏମ୍ଭି ୩୯ ଠାରେ ଦୁଇଟି ମେଗା ପାଇପ ୱାଟର ପ୍ରୋଜେକ୍ଟ କାମରେ ଅନ୍ତର୍ଭୁକ୍ତ କରି JMC କମ୍ପାନୀକୁ ୧୧.୯.୨୦୨୦ ମସିହାରେ କାର୍ଯ୍ୟାଦେଶ ଦିଆଯାଇଥିଲା । ୯.୯.୨୦୨୨ ସୁଦ୍ଧା ଏହି କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହାରି ଭିତରେ ଦୁଇବର୍ଷ ବିତି ସାରିଲାଣି । ହେଲେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଦେଖିବାକୁ ମିଳିନି । ଅନ୍ୟପଟେ ୧୩.୯.୨୦୨୩ ସୁଧା କାମ ସାରିବାକୁ ସମୟ ଦିଆଯାଇଥିବା RWSS ବିଭାଗର ନିର୍ବାହୀ ଯତ୍ନୀ ସୂଚନା ଦେଇଛନ୍ତି ।
ସେହିଭଳି କୋରକୁଣ୍ଡା ବ୍ଲକର ୧୧ଟି ପଞ୍ଚାୟତର ୮୯ଟି ଗାଁର ୧୩୮୯୧ଘର , ପଡିଆ ବ୍ଲକର ୮ଟି ପଞ୍ଚାୟତର ୪୮ଟି ଗାଁର ୯୬୨୮ଘର ପାଇଁ ମାରିବେଡା ଦେଇ ଯାଇଥିବା ପଟେରୁ ନଦୀ ଓ ଏମ୍ଭି ୬୬ ଦେଇ ଯାଇଥିବା ସାବେରି ନଦୀରେ ମେଗା ପାଇପ ୱାଟର ପ୍ରୋଜେକ୍ଟ କାମରେ ଅନ୍ତର୍ଭୁକ୍ତ କରି NA ନାମକ କମ୍ପାନୀକୁ ୧୦.୧୨.୨୦୨୧ ମସିହାରେ କାର୍ଯ୍ୟାଦେଶ ଦିଆଯାଇଥିଲା । ୯.୧୧.୨୦୨୩ ସୁଦ୍ଧା କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ପ୍ରକଳ୍ପ ସରିବାକୁ ଆଉ ୭ମାସ ଥିବାବଳେ ବର୍ତ୍ତମାନ ସୁଦ୍ଧା ୬୦ପ୍ରତିଶତ କାମ ମଧ୍ୟ ସରିନାହିଁ । ଖାଲି ସେତିକି ନୁହେଁ ସମସ୍ତ ଗାଁକୁ ପାଇପ ଲାଇନ ବି ସଂଯୋଗ ହୋଇପାରିନାହିଁ । ଅନ୍ୟ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ମଧ୍ୟ ସମାନ ଅବସ୍ଥା । ଏନେଇ ଗ୍ରାମବାସୀ କହିଛନ୍ତି, "ଜିଲ୍ଲାରେ କ୍ରମାଗତ ଭାବେ ଜଳ ସମସ୍ୟା ଲାଗି ରହିଛି । ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ମଧ୍ୟ ଶେଷ ହୋଇନାହିଁ । ଖରାଦିନେ ପୋଖରୀ, କୂଅ, ନଳକୂଅର ପାଣି ଶୁଖି ଯାଉଛି । ଏପରି ସ୍ଥଳେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।"
ପୂର୍ବ ପ୍ରକଳ୍ପ ଗୁଡିକର କାମ ଅଧାପନ୍ତରିଆରେ ରହିଥିବାବେଳେ ଉକ୍ତ ପ୍ରକଳ୍ପରୁ ବଞ୍ଚିତ ରହିଯାଇଥିବା ପଞ୍ଚାୟତ ଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ପୁଣି ୭୩୯କୋଟି ୨୭ଲକ୍ଷ ଟଙ୍କାର ୪ଟି ମେଗା ପାଇପ ୱାଟର ପ୍ରୋଜେକ୍ଟ କାମ ପାଇଁ ଘୋଷଣା କରିଛନ୍ତି । କାଲିମେଳା, ମାଥିଲି, ମାଲକାନଗିରି ଓ ଖଇରପୁଟ ବ୍ଲକର ୬୧ଟି ପଞ୍ଚାୟତର ୬୮୯୭୬ଟି ଘର ପାଇଁ SPML କମ୍ପାନୀକୁ ଜିଲ୍ଲାର ବିଭିନ୍ନ ନଦୀରେ ମେଗା ପାଇପ ୱାଟର ପ୍ରୋଜେକ୍ଟ କାମ କରିବାପାଇଁ ୧୫.୨.୨୦୨୩ ମସିହାରେ କାର୍ଯ୍ୟାଦେଶ ଦିଆଯାଇଛି । ଏହି କାମ ସାରିବାକୁ ୧୫.୨.୨୦୨୫ ନିର୍ଦ୍ଧାରଣ କରାଯାଇଛି । ଲୋକଙ୍କ ବିକାଶ ପାଇଁ ତିଆରି ହେଉଛି ମାଳମାଳ ଯୋଜନା । ହେଲେ ସେଥିରୁ କେତେ ଲାଭବାନ ହେଉଛନ୍ତି ଲୋକେ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ସରକାରଙ୍କ ଘରେଘରେ ପାଣି ପହଞ୍ଚାଇବା ଯୋଜନା ପାଣିର ଗାର ହୋଇ ରହିଯିବନି ତ ? ତାକୁ ନେଇ ବଡ଼ ପ୍ରଶ୍ନ ।
ଇଟିଭି ଭାରତ, ମାଲକାନଗିରି