ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଲାଲଗଡ଼ରୁ ଲାଲବାହିନୀର ହାତ ଛାଡି ମୁଖ୍ୟସ୍ରୋତକୁ ଫେରିଲେ ୩୦୦ ମାଓ ମିଲିସିଆ । ଚିତ୍ରକୋଣ୍ଡା ଥାନା ଅଧିନ ସ୍ବାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତ ଅନ୍ତର୍ଗତ ଲାଉଗୁଡା ଠାରେ ଆଜି ଧୂଳିପୁଟ ପଞ୍ଚାୟତର ପ୍ରାୟ ୩୦୦ ମାଓ ସମର୍ଥକ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରସନ୍ନ ହୋଇ ଓଡିଶା ପୋଲିସ ଓ ବିଏସଏଫ ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଦୀର୍ଘ ବର୍ଷ ଧରି ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ନାଲି ଆଖି ଦେଖାଇ ଏଠାରେ ଶାସନ କରିଆସୁଥିବା ବେଳେ ଏବେ କିନ୍ତୁ ବଦଳିଛି ସ୍ଥିତି । ରାଜ୍ୟ ସରକାରଙ୍କ ଚେଷ୍ଟା ଦ୍ବାରା ସ୍ବାଭିମାନ ଅଞ୍ଚଳରେ ଏକାଧିକ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଏସଓଜି, ଡିଭିଏଫ ଏବଂ ବିଏସଏଫର ଯବାନଙ୍କ ଦ୍ବାରା ମିଳିତ ଭାବେ ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ କୁମ୍ବିଂ ଅପରେସନକୁ ଜୋରଦାର କରାଯିବା ସହ ଯବାନ ମାନଙ୍କ କାନ୍ଧରେ କାନ୍ଧ ମିଶାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିଲା । ଯାହାକୁ ଲକ୍ଷ କରି ଆଜି ଧୂଳିପୁଟ ପଞ୍ଚାୟତର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ମିଲିସିଆ ମାଓବାଦୀଙ୍କ ହାତ ଛାଡି ମୁଖ୍ୟସ୍ରୋତକୁ ଫେରିବା ସହ ମାଓବାଦୀଙ୍କ କୁଶପୁତ୍ତଳିକାକୁ ଦାହ କରିଛନ୍ତି ।
ତେବେ ଆଗାମୀ ଦିନରେ ସମାଜରେ ବାସ କରୁଥିବା ଅନ୍ୟମାନଙ୍କ ଭଳି ଆମେ ମଧ୍ୟ ସରକାରଙ୍କ ସହ ରହିବୁ ବୋଲି କହିଥିବା ବେଳେ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ମଧ୍ୟ ଏମାନଙ୍କୁ ଯୋଗାଇ ଦିଆଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ଶୈଳେନ୍ଦ୍ର ସିହ୍ନା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ମାଲକାନଗିରି ଏସପି ନିତେଶ ୱାଧନି ଉପସ୍ଥିତ ଥିଲେ । ପ୍ରଥମେ ଗ୍ରାମର ମହିଳାମାନେ ପାରମ୍ପରିକ ନୃତ୍ୟ ସଙ୍ଗୀତ ମାଧ୍ୟମରେ ଅତିଥିମାନଙ୍କୁ ପାଛୋଟି ନେଇଥିଲେ । ଆତ୍ମସମର୍ପଣକାରୀ ଓ ଗ୍ରାମବାସୀଙ୍କୁ ବିଭିନ୍ନ କୃଷି ଉପକରଣ ସହ ଖେଳ ସାମଗ୍ରୀ, ଔଷଧ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ, ମାଲକାନଗିରି