ମାଲକାନଗିରି: ପୁଣି ଗୁଣି ଗାରେଡି ସନ୍ଦେହ ନେଲା ଜୀବନ । ଗ୍ରାମ କମିଟି ସମ୍ମୁଖରେ ଯୁବକକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଇଣ୍ଟାଗୁଡା ଗାଁରେ । ମୃତ ଯୁବକ ଜଣକ ହେଲେ ଉକ୍ତ ଗାଁର ଇର୍ମା କର୍ମୀ ।
ସୂଚନାଯୋଗ୍ୟ, ମୃତ ଇର୍ମା କର୍ମୀ ଗାଁରେ ଛୋଟ ଛୋଟ ପିଲାଙ୍କ ସହ ଗାଁର ଅନ୍ୟ ଲୋକଙ୍କ ଦେହ ଅସୁସ୍ଥ କରୁଥିବାର ଅଭିଯୋଗ ହେଉଥିଲା । ବହୁ ବାର ଗ୍ରାମ କମିଟି ସମ୍ମୁଖରେ ଅଭିଯୋଗ ହୋଇ ଆସୁଥିବାବେଳେ, ଗତ 2 ଦିନ ପୂର୍ବରୁ କିଛି ପିଲାଙ୍କ ଦେହ ଅସୁସ୍ଥ ହେବାରୁ ଇର୍ମାଙ୍କ ଉପରେ ସନ୍ଦେହ କରିଥିଲେ ଗ୍ରାମବାସୀ ।
ଯାହାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଇର୍ମାଙ୍କୁ ଘରୁ ଡାକି ନେଇ ଗ୍ରାମ କମିଟି ସମ୍ମୁଖରେ ଉପସ୍ଥିତି କରାଇଥିଲେ । ଏହା ପରେ ସର୍ବ ସମ୍ମୁଖରେ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ମୃତ ଇର୍ମାଙ୍କ ସ୍ତ୍ରୀ କାଲିମେଳା ଥାନାରେ ଅଭିଯୋଗ କରିବାରୁ, ରବିବାର କାଲିମେଳା ପୋଲିସ ଗାଁର 4 ଜଣଙ୍କୁ ଗିରଫ କରିଛି । ଏହା ସହିତ ଏହି ହତ୍ୟାକାଣ୍ଡରେ ଅନ୍ୟ କିଏ ସାମିଲ ଅଛି ତାହାର ତଦନ୍ତ ଜାରି ରଖିଛି ପୋଲିସ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ