ମାଲକାନଗିରି: ଜିଲ୍ଲା ମାର୍କାପାଲୀ ଗାଁର ଆଦିବାସୀ ଯୁବତୀ ସମାରୀ ମୁଦୁଲି । ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଗତ ଚାରିବର୍ଷ ତଳେ ହାତ ଉଧାରି କରି ଗୋଟିଏ ସିଲେଇ ମେସିନରୁ କାର୍ଯ୍ୟ ଆରମ୍ଭ କରି ଏବେ ସେ ସିଲେଇ କେନ୍ଦ୍ରରେ ଦଶଟି ମେସିନ ପକାଇଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସଙ୍ଗେ ସଙ୍ଗେ 60 ଜଣଙ୍କ ଯୁବତୀ ଓ ମହିଳାଙ୍କୁ ତାଲିମ ଦେବା ସହ ରୋଜଗାରର ବାଟ ଦେଖାଇଛନ୍ତି । ଘରେ ବେକାର ହୋଇ ବସି ରହିଥିବା ଯୁବତୀମାନେ ମଧ୍ୟ ସମାରୀଙ୍କ ମାଧ୍ୟମରେ ଦି ପଇସା ରୋଜଗାର କରି ଘରର ଆର୍ଥିକ ଭାର କମ୍ କରିପାରୁଛନ୍ତି ।
ସମାରୀ ପ୍ରଥମେ ସ୍ବାବଲମ୍ବୀ ହେବା ଆଶାରେ ସିଲେଇ ଶିଖିବା ପାଇଁ ଆଗ୍ରହୀ ହୋଇଥିଲେ । ଏହାପରେ ସେ ଡିଆରଡିଏ ପକ୍ଷରୁ 21 ଦିନ ସିଲେଇ ତାଲିମ ନେଇଥିଲେ । ପରେ ସେ ଧାର କରଜ କରି ପ୍ରଥମେ ଗୋଟିଏ ସିଲେଇ ମେସିନ କିଣି ଆରମ୍ଭ କରିଥିଲେ କାମ । ସମାରୀଙ୍କ ସିଲେଇକୁ ଦେଖି ତାଙ୍କ କେନ୍ଦ୍ରରେ ଧିରେ ଧିରେ ଲୋକଙ୍କ ଭିଡ ଜମିଥିଲା । ସେପଟେ ଭଲ ରୋଜଗାର ହେବାରୁ ସମାରୀ ଅଧିକ ମେସିନ କିଣିଥିଲେ । ବର୍ତ୍ତମାନେ ସେ ପ୍ରାୟ 60 ଜଣଙ୍କୁ ତାଲିମ ଦେବା ସହ ଯୋଗାଉଛନ୍ତି ରୋଜଗାର । ଯୁବତୀମାନେ ମଧ୍ୟ ଦୁଇ ପଇସା ରୋଜଗାର କରି ନିଜ ଖର୍ଚ୍ଚ ସହ ପରିବାରର ଖର୍ଚ୍ଚ ମଧ୍ୟ ତୁଲାଉଛନ୍ତି ।
ସମାରୀ ଦିନରେ ଦୁଇଟି ସିଫ୍ଟ କରିଛନ୍ତି । ପ୍ରତ୍ୟେକ ସିଫ୍ଟରେ 30 ଜଣ ଲେଖାଏଁ କାମ କରୁଛନ୍ତି । ସେମାନଙ୍କୁ ମଧ୍ୟରୁ ନିଜ ଗ୍ରାମର 30 ଜଣ ମହିଳା ବା ଯୁବତୀ ଥିବାବେଳେ ଅନ୍ୟ 30 ଜଣ ବାହାର ଅଞ୍ଚଳରୁ ଆସି ତାଲିମ ନେଉଛନ୍ତି । ସମାରୀଙ୍କ ଏହି ସଫଳ ପ୍ରୟାସ ସମ୍ପର୍କରେ ଜାଣିବା ପରେ ରାଜ୍ୟ ଦକ୍ଷତା ବିକାଶର ମୁଖ୍ୟ ସୁବ୍ରତ ବାଗଚି ତାଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେ ଯୁବତୀଙ୍କୁ 5ଟି ସିଲେଇ ମେସିନ ପ୍ରଦାନ କରିବା ସହ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଆଦିବାସୀ ଯୁବତୀଙ୍କ ଏଭଳି ସଫଳତାରେ ସମସ୍ତଙ୍କ ଆଖି ଝଲସି ଯାଇଛି ।
ସରକାରଙ୍କୁ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ମାଲକାନଗିରି ଜିଲ୍ଲାରେ ଆହୁରି ଅନେକ ଆଦିବାସୀ ଯୁବତୀ ଓ ମହିଳାମାନଙ୍କୁ ସ୍ବାବଲମ୍ବୀ କରିପାରିବେ ବୋଲି କହିଛନ୍ତି ସମାରୀ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ