ମାଲକାନଗିରି: ଛାତ୍ରଛାତ୍ରୀଙ୍କୁ ନକଲି ବିଇଡି ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ । ମାଲକାନଗିରି ଜିଲ୍ଲାରେ ଘଟିଛି ଏପରି ଏକ ଠକେଇ ଘଟଣା । ଅରୁଣ ସେନ ନାମକ ଜଣେ ଶିକ୍ଷକ ଜିଲ୍ଲାର ଅନେକ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ଦେଢ ଲକ୍ଷ ଲେଖାଏଁ ଟଙ୍କା ନେଇ ବିହାରର ଲଲିତ ନାରାୟଣ ମିଥିଲା ବିଶ୍ବବିଦ୍ୟାଳୟର ଜାଲ ପ୍ରମାଣ ପତ୍ର ପ୍ରଦାନ କରିଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ଅରୁଣ ସେନ ପିଲାଙ୍କୁ କହିଥିଲେ ଯେ ଏହି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବାର ବର୍ଷକ ପରେ ପରୀକ୍ଷା ହେବ । ପରୀକ୍ଷାରେ ପାସ୍ ହୋଇଥିବା ପିଲାଙ୍କୁ ସାର୍ଟିଫିକେଟ ଦିଆଯିବ । ହେଲେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ପ୍ରମାଣପତ୍ର । ଛାତ୍ରଛାତ୍ରୀଙ୍କ ସନ୍ଦେହ ହେବାରୁ ଯାଞ୍ଚ କରାଯାଇଥିଲା । ଯାଞ୍ଚରୁ ଜଣାପଡିଥିଲା ଏହା ନକଲି ପ୍ରମାଣପତ୍ର । ଏହାପରେ ଶିକ୍ଷକ ଅରୁଣ ସେନଙ୍କ ନାମରେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରଛାତ୍ରୀ । ପୋଲିସ ଘଟଣାର ତଦନ୍ତ କରିବା ପରେ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ