ମାଲକାନଗିରି: ଶେଷରେ ମାଲକାନଗିରି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଘଟିବାକୁ ଯାଉଛି ଅନ୍ତ । ଆଉ ମାତ୍ର ସପ୍ତାହ ଭିତରେ ମାଲକାନଗିରି ଜିଲ୍ଲାରେ ଉଡ଼ିବ ବିମାନ । ଏନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଜିଲ୍ଲାପାଳ ବିଶାଳ ସିଂ ନିଜେ ନୂତନ ବିମାନବନ୍ଦର ଗସ୍ତ କରି ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ସେହିପରି ଗୁରୁବାର ଦିନିକିଆ ମାଲକାନଗିରି ଗସ୍ତରେ ଆସି ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ମଧ୍ୟ ବିମାନବନ୍ଦର ବୁଲି ଦେଖିଛନ୍ତି । ରନୱେ ଠାରୁ ଆରମ୍ଭ କରି, ଟର୍ମିନାଲ ପର୍ଯ୍ୟନ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ନେଇ ଜିଲ୍ଲାବାସୀ ବିମାନ ବନ୍ଦର ଉଦଘାଟନକୁ ନେଇ ଉତ୍ସାହିତ ଅଛନ୍ତି । ବିମାନ ବନ୍ଦର ନିର୍ମାଣ ପାଇଁ ୫୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରାଯାଉଥିବା ବେଳେ ୧୫୦୦ ମିଟରରୁ ଊର୍ଦ୍ଧ୍ବ ପ୍ରଶସ୍ତ ଓ ୩୦ ମିଟର ଓସାର ଏୟାରଷ୍ଟ୍ରିପ ପ୍ରସ୍ତୁତ ରହିଛି । ଆସନ୍ତା ଜାନୁଆରୀ ୯ ତାରିଖରେ ମାଲକାନଗିରି ବିମାନବନ୍ଦରରେ ପ୍ରଥମ ଟ୍ରାଏଲ ରନ କରାଯିବାର ବ୍ୟବସ୍ଥା କରାଯାଉଛି । ଯେଉଁଥିପାଇଁ ଡିଜିସିଏ ଅଧିକାରୀମାନେ ବିମାନବନ୍ଦରକୁ ଆସିବେ । ଏହି ବିମାନ ବନ୍ଦରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।
ଏହି ଅବସରରେ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାବାସୀଙ୍କୁ ନୂଆବର୍ଷର ଭେଟି ଭାବେ ଏହି ବିମାନବନ୍ଦରକୁ ଦେଇଛନ୍ତି । ଏହି ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ୩ଟି ରାଜ୍ୟ ଉପକୃତ ହେବା ସହ ରାଜଧାନୀ ଭୁବନେଶ୍ବର ସହିତ ମଧ୍ୟ ସଂଯୋଗୀକରଣ ହୋଇପାରିବ । ଏହା ଫଳରେ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲା ଏକ ବ୍ୟବସାୟିକ ହବ୍ ରୂପେ ଗଢି ଉଠିବ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରଦୀପ ମାଝି ।
ଏହା ମଧ୍ୟ ପଢନ୍ତୁ... ଘନ କୁହୁଡି ସାଜିବନି ବିମାନ ଲ୍ୟାଣ୍ଡିଙ୍ଗରେ ବାଧକ, ଭୁବନେଶ୍ବର ଏୟାରପୋର୍ଟରେ ହେବ କ୍ୟାଟ-2 ଭିଜନ
ଏହି ବିମାନବନ୍ଦର 2ବି କ୍ୟାଟେଗୋରୀ ଭାବେ ବିକଶିତ କରାଯାଇଛି । ଏହାକୁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଜମି ଏବଂ ୩୩ ଏକର ଜଙ୍ଗଲ ଜମି ଉପରେ ନିର୍ମାଣ କରାଯାଇଛି । ଏହାକୁ ଖୁବଶୀଘ୍ର ଉଡାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଭୁବନେଶ୍ବର, ଝାରସୁଗୁଡା, ରାଉରକେଲା , ଭବାନୀପାଟଣା, ଜୟପୁର ପରେ ମାଲକାନଗିରି ଷଷ୍ଠ ଏୟାରପୋର୍ଟ ହେବାକୁ ଯାଉଛି ।
ଇଟିଭି ଭାରତ, ମାଲକାନଗିରି