ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରିରୁ ଜୟପୁର ଯାଉଥିବା ଏକ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ଏହି କଣ୍ଟେନରରୁ ପ୍ରାୟ ୪୮୦ କେଜି ଗଞ୍ଜେଇ ଜବତ ହୋଇଥିବା ଜଣା ପଡ଼ିଛି । ଏଥିରେ ଦୁଇ ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ସେହିଭଳି ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ ୩ ଜଙ୍ଗଲରୁ ପ୍ରାୟ ୩ ଟନ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ ମାଲକାନଗିରି ଥାନା ଅନ୍ତର୍ଗତ ଚମ୍ପାଖାରୀ ପୋଲିସ ଚେକ ପୋଷ୍ଟ ଦେଇ ଏକ ଗୋଖାଦ୍ୟ ବୋଝେଇ କଣ୍ଟେନର ଯାଉଥିଲା । ତେବେ ଏହି ସମୟରେ ମାଲକାନଗିରି ପୋଲିସ ପକ୍ଷରୁ ଚେକ ପୋଷ୍ଟରେ ଯାଞ୍ଚ କରାଯାଇଥିବା ବେଳେ କଣ୍ଟେନର ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ପୋଲିସ ପକ୍ଷରୁ ଉକ୍ତ ଗଞ୍ଜେଇକୁ ଜବତ କରାଯାଇଥିବା ବେଳେ ଗାଡିରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା । ଜବତ ଗଞ୍ଜେଇକୁ ଓଜନ କରିବାରୁ ତାହା ୪୮୦ କେଜି ଥିବା ଜଣା ପଡିଥିବା ବେଳେ ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି ।
ସେହିଭଳି ଚିତ୍ରକୋଣ୍ଡା ପୋଲିସକୁ ମଧ୍ଯ ଆଜି ବଡ଼ ସଫଳତା ମିଳିଛି । ପ୍ରାୟ ୩ ଟନ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ । ବାହାର ରାଜ୍ଯକୁ ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ରଖା ଯାଇଥିବା ବେଳେ ମାଡି ବସିଲା ପୋଲିସ । ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ-୩ ଜଙ୍ଗଲରୁ ୧୩୨ ବସ୍ତା ଗଞ୍ଜେଇ ଜବତ କରିଛି ଚିତ୍ରକୁଣ୍ଡା ପୋଲିସ । ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୩ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ କହିଛି । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିଅସ୍ କିସପଟା ଓ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମଲିକ୍ ଏବଂ ଅନ୍ୟାନ୍ୟ ଅଧିକାରୀ ପହଞ୍ଚି ଗଞ୍ଜେଇ ବସ୍ତା ଗୁଡିକୁ ଜବତ କରିଥିଲେ । କିନ୍ତୁ ଘଟଣାସ୍ଥଳରେ କେହି ନଥିବାରୁ ଗଞ୍ଜେଇ ବେପାରୀଙ୍କୁ ଧରି ପାରିନି ପୋଲିସ୍ । ଆଗକୁ ଗଞ୍ଜେଇ ଧରିବା ପାଇଁ ଆହୁରି ଜୋରଦାର ଚଢାଉ ଓ ଗାଡି ଯାଞ୍ଚ କରାଯିବ ବୋଲି କହିଛନ୍ତି ମାଲକାନଗିରି ଏସ୍ପି ।
ଇଟିଭି ଭାରତ, ମାଲକାନଗିରି