ମାଲକାନଗିରି: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୀମା ସୁରକ୍ଷା ବାହିନୀ ପକ୍ଷରୁ ପାଳନ କରାଗଲା କାରଗିଲ ବିଜୟ ସପ୍ତାହ ଦିବସ । ବାଲିମେଳା ଅଞ୍ଚଳରେ ମୁତୟନ ଥିବା 144 ବାଟାଲିୟନ ପକ୍ଷରୁ ଚିତାପରି-3 ଗ୍ରାମ ନିକଟରୁ ସୁରକ୍ଷା ବାହିନୀର ସମସ୍ତ ଯବାନଙ୍କ ସହ ବାଲିମେଳା ଅଞ୍ଚଳର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ନେଇ ଏକ ମିନି ମାରାଥନ କରାଯାଇଛି ।
ଏହି ମିନି ମାରଥନରେ ଚିତାପରି ଗ୍ରାମଠାରୁ ବାଲିମେଳା ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତା ହୋଇଥିଲା । ଏଥିମଧ୍ୟରେ ମୋଟ 5 ଜଣ ଛାତ୍ରଙ୍କୁ ପୁରସ୍କୃତ କରାଯାଇଛି । ଅନୁରୂପ ଭାବେ ଜିଲ୍ଲାର ମାଥିଲି ଅଞ୍ଚଳରେ ମୁତୟନ ଥିବା 160 ବିଏସଏଫ ବାଟାଲିୟନର ଯବାନମାନେ ମଧ୍ୟ ଏକ ମିନି ମାରାଥନ କରାଯିବା ସହ ମାଥିଲି ମହାବିଦ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ଯେଉଁଥିରେ 1999 ମସିହାରେ କାରଗିଲ ଯୁଦ୍ଧରେ ଭାରତର ସହୀଦ ହୋଇଥିବା 527 ଜଣ ବିର ଯବାନଙ୍କ ବୀରତ୍ବର ଗାଥା କୁହାଯାଇଥିଲା ।
ସୀମା ସୁରକ୍ଷା ବାହିନୀର କମାଣ୍ଡେଣ୍ଟ ଓ ସମସ୍ତ ଅଧିକାରୀଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିଶୁମାନଙ୍କୁ କାରଗିଲ ବିଜୟ ଦିବସ ଉପରେ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁରକ୍ଷା ବାହିନୀର ସମସ୍ତ ଯବାନମାନେ ସାହାଯ୍ୟ କରିଥିଲେ । ଏଥିସହିତ ଆଗାମୀ ଦିନରେ ସୁରକ୍ଷା ବାହିନି ତରଫରୁ ଗାଁମାନଙ୍କରେ ସ୍ବାସ୍ଥ୍ୟ ସେବା ସହ କ୍ୟାମ୍ପ ପରିସର ମଧ୍ୟରେ ସୁରକ୍ଷା ବାହିନୀର ଯୁଦ୍ଧ ଯନ୍ତ୍ରାଂଶର ପ୍ରଦର୍ଶନ ସାଧାରଣ ଲୋକଙ୍କ ପାଇଁ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।
ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ