ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ପାଇଁ ଘୋଡା ଦୌଡ ପ୍ରତିଯୋଗିତା । ସ୍ବାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା ବ୍ଲକର ଲାଉଗୁଡ଼ା ଗ୍ରାମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ମହୋତ୍ସବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଘୋଡା ଦୌଡ ପ୍ରତିଯୋଗିତାର ଉଦଘାଟନ କରିଥିଲେ । ଏହାପରେ ଆନୁଷ୍ଠାନିକ ଭାବେ ଘୋଡା ଦୌଡ ନିମନ୍ତେ ପ୍ରଶିକ୍ଷଣ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଘୋଡା ଦୌଡ ପ୍ରତି ଯୋଗିତାରେ ମୋଟ ୩୦ଟି ଘୋଡା ଭାଗ ନେଇଥିଲେ ।
ସେହିପରି ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଆଗାମୀ ମହୋତ୍ସବରେ ଯୋଗ ଦେଇ ଆଗାମୀ ଦିନ ମାନଙ୍କରେ ଅନ୍ୟ ଜିଲ୍ଲା ପାଇଁ ଏହା ପ୍ରେରଣାଦୟୀ ହେବ ବୋଲି କହିଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ଭଳି ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ଜିଲ୍ଲା ପାଇଁ ଗୌରବ ବିଷୟ ବୋଲି ପ୍ରକାଶ କରିଥିଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସ୍ବତନ୍ନ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ବ୍ଲକ୍ ଅଧ୍ୟକ୍ଷ ରାଜେଶ୍ବରୀ ଖୁଲ, ପ୍ରମୁଖ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ ନିର୍ଦ୍ଦେଶକ ଡ. ଅରବିନ୍ଦ ପାଢୀ , କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ , ଡ. ରୋହିତ ଲେଙ୍କା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରନ୍କର ସାହୁ, ଆଇଟିଡିଏ ତ୍ରିନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ ଏହି କାର୍ଯ୍ୟକ୍ରମ ତଦାରଖ କରିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପେପରମେଟଲା ପଞ୍ଚାୟତର ରାଜୁ ଖୁଲ, ସଦନ ପାଙ୍ଗି ଓ ସୁବାଷ ଖୁଲ ଯଥାକ୍ରମେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ମାଲ୍ୟବନ୍ତ ମହୋତ୍ସବ ମୁଖ୍ୟ ଉତ୍ସବ ଅବସରରେ ପୁରସ୍କୃତ କରାଯିବ ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କହିଥିଲେ ।
ଏନେଇ ଜିଲ୍ଲା ଉନ୍ନୟନ ଅଧିକାରୀ ରନ୍କର ସାହୁ କହିଛନ୍ତି ଯେ,''ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନର ବଳିଷ୍ଠ ଉଦ୍ୟମରେ ଘୋଡା ଦୌଡ ପ୍ରତିଯୋଗିତା କରାଯାଇଥିଲା । ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ଆମର ଆଭିମୁଖ୍ୟ ରହିଥିଲା । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଥିରେ ଯୋଗ ଦେଇଥିଲେ । ଘୋଡ ଦୌଡ ଆଗକୁ କିପରି ଆହୁରି ଲୋକଲୋଚନକୁ ଆସିପାରିବ ସେନେଇ ଆମେ ସରକାରଙ୍କୁ କହିଛୁ । ''
ଇଟିଭି ଭାରତ, ମାଲକାନଗିରି