ମାଲକାନଗିରି: ଏଥର କୌଣସି ସରକାରୀ ବା ବେସରକାରୀ ମେଡିକାଲରେ ନୁହେଁ ବରଂ ପାହାଡ ଉପରେ ଚାଲିଛି ସ୍ବାସ୍ଥ୍ୟ ସେବା । ଘଞ୍ଚ ଜଙ୍ଗଲଭରା ପାହାଡ ଚଢି 12 କିଲୋମିଟର ଅତିକ୍ରମ କରି ସ୍ବାସ୍ଥ୍ୟ ସେବା କଲେ ମାଥିଲି ମେଡିକାଲ ଟିମ୍ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଓ ଅଧ୍ୟୁଷିତ ଖଟୁଆପଦର ପାହାଡି ଗାଁରେ ।
ଏବେ କୋରୋନା ସଂକ୍ରମଣ ଗାଁ ମୁହାଁ ହୋଇଥିବା ବେଳେ ଏକ ସ୍ବତନ୍ତ୍ର 12 ଜଣିଆ ଡାକ୍ତରି ଟିମ୍ 12 କିଲୋମିଟର ପାହାଡ ପାଦରେ ଚାଲି ଚାଲି ଖଟୁଆପଦର ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ କୋରୋନା ପରୀକ୍ଷା ମଧ୍ୟ କରିଛନ୍ତି । କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ଏଥିରୁ ମ୍ୟାଲେରିଆରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଭିନ୍ନ ରୋଗରେ ପୀଡିତଙ୍କୁ ମାଗଣା ଔଷଧ ଯୋଗାଇଛି ଏହି ସ୍ବାସ୍ଥ୍ୟ ଟିମ୍ । ଏଥି ସହ କୋରୋନାକୁ ନେଇ ସଚେତନ କରାଇ ଗାଁ ଲୋକଙ୍କୁ ମାସ୍କ ମଧ୍ୟ ପିନ୍ଧାଇଛନ୍ତି । ମାଥିଲି ସବଡିଭିଜନ ମେଡିକାଲ ଭାରପ୍ରାପ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଗାଁରେ ପହଞ୍ଚିଥିଲା ଏହି ଟିମ୍ । ଆଉ ଆରମ୍ଭ କରିଥିଲେ ସ୍ବାସ୍ଥ୍ୟ ସେବା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ