ମାଲକାନଗିରି: ନିୟମ ରକ୍ଷାକର୍ତ୍ତା ଭାଙ୍ଗିଲେ ନିୟମ । ଜନତାଙ୍କୁ ସୁରକ୍ଷା ଦେବାର ଶପଥ ନେଉଥିବା ପୋଲିସର ବେପୁରଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୋଲିସ ଗାଡି ସହ ଧକ୍କା ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏଥିସହ ପୋଲିସର 3 ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀ ହେଲେ ବାଲା ରାଜୁ ସାହୁ । ସେ ନାୟକଗୁଡାରେ ଜିଆରଏସ ଭାବେ ନିଯୁକ୍ତ ଥିଲେ ।
ତେବେ ଦୁର୍ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପୋଲିସ ଗାଡି ବହୁତ ଦ୍ରୁତଗତିରେ ଯାଉଥିବା ସହ ଭୁଲ ରାସ୍ତାରେ ଗାଡି ଚଳାଉଥିଲେ । ଏପରି ଗାଡିରେ ଥିବା କର୍ମଚାରୀମାନେ ସିଟ୍ ବେଲ୍ଟ ବାନ୍ଧିନଥିବାବେଳେ ସମସ୍ତେ ମଦ ପିଇଥିବା ଜଣାପଡିଛି । ସେପଟେ ପୋଲିସର ଏଭଳି ବେପରୁଆ ଗାଡି ଚାଳନା ଯୋଗୁଁ ପୋଲିସ ଗାଡି ରାସ୍ତାରୁ ପ୍ରାୟ 20 ଫୁଟ ଦୂରରେ ଛିଟିକି ପଡିଥିଲା । ବାଇକଟି 50 ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲା ।
ଘଟଣାରେ ଗୁରୁତର ପୋଲିସ କର୍ମଚାରୀମାନଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ମାଥିଲି ଚିକିତ୍ସାଳୟକୁ ପଠାଇଥିଲେ । ଘଟଣାସ୍ଥଳରେ ମାଥିଲି ଆଇଆଇସି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରକାଶ ଥାଉକି, ସମସ୍ତ ପୋଲିସ କର୍ମଚାରୀ ମାଥିଲିରୁ ମାଲକାନଗିରି ଯାଉଥିବାବେଳେ ବାଇକ ଆରୋହୀ ଜଣକ ପାଙ୍ଗାମରୁ ମାଥିଲୀକୁ ଫେରୁଥିବାବେଳେ ଏପରି ଦୁର୍ଘଟଣା ଘଟିଥିଲା ।
ଅପରପକ୍ଷେ ଦୁର୍ଘଟଣାରେ ମୃତ ବାଲା ରାଜୁଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ଦେବା ଉଦ୍ଦେଶ୍ୟରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ମାଲକାନଗିରି ଠାରୁ ଜୟପୁର ମୁଖ୍ୟ ରାସ୍ତାରେ ଯିବା ଆସିବାରେ ବାଧା ଉପୁଜିଥିବା ଜଣାପଡିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ