ମାଲକାନଗିରି: ଗଞ୍ଜେଇ ମାଫିଆଙ୍କ ଅଭିନବ ଉପାୟ । ଗଞ୍ଜେଇ ଚୋରା ଚାଲାଣର ମାଷ୍ଟରମାଇଣ୍ଡ ପୋଲିସ କନଷ୍ଟେବଳ ଗିରଫ ହେବା ସହ ପଣସ ବୋଝେଇ ପିକ୍ ଅପ ଭ୍ୟାନରୁ ୮ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଗିରଫ ଗଞ୍ଜେଇ ମାଫିଆ ମାଲକାନଗିରି ଜିଲ୍ଲା ରିଜର୍ବ ପୋଲିସ କନଷ୍ଟେବଳ ସଂଜୀବ ହୀରା ।
ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ ବାଲିମେଳା ଥାନା ଅନ୍ତର୍ଗତ ପଟ୍ରେଲ ଛକ ନିକଟରେ ଅବକାରୀ ବିଭାଗର ଚଢ଼ାଉ କରି ଗଞ୍ଜେଇ ଜବତ କରିଛି। ଚିତ୍ରକୋଣ୍ଡାରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିଲା ଏହି ବିପୁଳ ପରିମାଣର ଗଞ୍ଜେଇ। ସମ୍ପୃକ୍ତ କନେଷ୍ଟବଳ ନିଜେ ଗାଡି ଡ୍ରାଇଭ କରି ନେଉଥିବାବେଳେ ଧରା ପଡ଼ିଛି ।
ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ 40 ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇ ଚୋରା ଚାଲାଣରେ ଆଉ 3 ଜଣଙ୍କର ହାତ ଥିବା ଅବକାରୀ ବିଭାଗକୁ ଅଭିଯୁକ୍ତ ସୂଚନା ଦେବା ପରେ ତାକୁ ନେଇ ଅଧିକ ଖୋଳତାଡ଼ ଆରମ୍ଭ କରିଛି । ତେବେ ଗିରଫ କନେଷ୍ଟବଳକୁ ଅଧିକା ଜେରା କରିବା ପରେ ଆଜି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ ।
ତେବେ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଫିଆ ବିଭିନ୍ନ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ଆମ୍ବୁଲାନ୍ସ ଆଉ କେତେବେଳେ ତେଲ ଟ୍ୟାଙ୍କର ଏଭଳି ଅନେକ ଉପାୟରେ ଗଞ୍ଜେଇ ଚୋରା ଚାଲାଣକୁ ପୋଲିସ ଏବଂ ଅବକାରୀ ବିଭାଗ ରୋକିବାରେ ସଫଳ ହୋଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ