ମାଲକାନଗିରି: ଦାଉ ସାଧୁଛି ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ । ଏହି ପ୍ରକଳ୍ପ କେତେ ବିପତ୍ତି ଆଣିପାରେ ତାହା ଅଙ୍ଗେ ନିଭାଇଲେଣି ମାଲକାନଗିରି ସୀମାନ୍ତ ମୋଟୁ ଗ୍ରାମବାସୀ । ଆନ୍ଧ୍ରର ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମୋଟୁ ଗ୍ରାମର ପୁରୁଣା ବସ୍ତି ବନ୍ୟା ପାଣିରେ ସଂପୂର୍ଣ୍ଣ ବୁଡ଼ିଯାଇଥିବାର ଦେଖିବାକୁ ମିଳିଛି । ପ୍ରାୟ ୧୫ରୁ ଅଧିକା ଘର ଏବେ ବନ୍ୟା ପାଣିରେ ଥିବା ବେଳେ ସ୍ଥାନୀୟ ଲୋକେ ଉଚ୍ଚ ସ୍ଥାନକୁ ପଳାଇ ଆସୁଥିବାର ଦେଖିବାକୁ ମିଳିଛି । ତେବେ ପ୍ରବଳ ବର୍ଷା ପରେ ଚିନ୍ତୁର ମୁଖ୍ୟ ବଜାର ମଧ୍ୟ ସଂପୂର୍ଣ୍ଣ ଭାବରେ ବୁଡ଼ିଯାଇଛି ।
ସେହିପରି କାଲେରୁ ଗ୍ରାମ ବନ୍ୟାପାଣି ଘେରରେ ରହିଥିବାବେଳେ ଘର ଗୁଡ଼ିକ ମଧ୍ୟ ପାଣିରେ ବୁଡି ରହିଛି । ଦୀର୍ଘ ୪ ଦିନ ହେଲା ବନ୍ୟାପାଣିରେ ୩୨୬ନଂ ଜାତୀୟ ରାଜପଥ ବୁଡ଼ି ରହିଥିବାରୁ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର ଆଦି ରାଜ୍ୟକୁ ଯିବା ପାଇଁ ଶହଶହ ଟ୍ରକ୍ ଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିବାର ଦେଖିବାକୁ ମିଳିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ମୋଟୁରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଏସପିଙ୍କ ସମେତ ଅନେକ ଅଧିକାରୀ ମୋଟୁ ଗସ୍ତ କରି ପରିସ୍ଥିତି ସଂପର୍କରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ସହିତ ଆଲୋଚନା କରିଥିଲେ । ମୋଟୁର ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ରଖିଛି ବୋଲି ଜିଲ୍ଲାପାଳ ମତ ରଖିଥିଲେ । ତେବେ ଗୋଦାବରୀ ନଦୀର ଜଳ ନିଷ୍କାସନ ହୋଇପାରୁନଥିବାରୁ ଏହାର ପଛୁଆ ଜଳ ଯୋଗୁଁ ସିଲେରୁ ଓ ସାବେରୀ ନଦୀ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏପରି ଯଦି ଲାଗି ରହେ ତେବେ ଆଜି ଭିତରେ ମୋଟୁ ସଂପୂର୍ଣ୍ଣ ବୁଡ଼ିଯିବାର ଆଶଙ୍କା ରହିଛି ।
ସେପଟେ ପୋଲାଭରମ ପ୍ରକଳ୍ପରୁ ପାଣି ଆସି ଏଭଳି ବନ୍ୟାସ୍ଥିତି ସୃଷ୍ଟି ହୋଇଥିବା ଏବଂ ଏନେଇ ଆନ୍ଧ୍ର ପ୍ରଶାସନକୁ ଯୋଗାଯୋଗ କରାଯାଇଛି କି ବୋଲି ଏଡିଏମଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ଆନ୍ଧ୍ର ସରକାରଙ୍କୁ କୌଣସି ଯୋଗାଯୋଗ କରାଯାଇ ନଥିବା ସ୍ପଷ୍ଟ କରିଛନ୍ତି ମାଲକାନଗିରି ଏଡିଏମ୍ ।