ମାଲକାନଗିରି: ଜିଲ୍ଲାକୁ ପଲିଥିନ ମୁକ୍ତ କରିବା ଲାଗି ଅଣ୍ଟା ଭିଡିଲା ମାଲକାନଗିରି ପ୍ରଶାସନ । ଏନେଇ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ପଲିଥିନ ଜରି ଓ ପ୍ଲାଷ୍ଟିକ ବସ୍ତୁ ବ୍ୟବହାର ନକରିବା ଲାଗି ଲୋକଙ୍କୁ ସଚେତନ କରିଥିଲେ ।
ସ୍ବଚ୍ଛ ବାୟୁ ଲାଗି ପରିବେଶକୁ ସୁରକ୍ଷା ରଖିବା ଦିଗରେ ବୃକ୍ଷ ରୋପଣର ଆବଶ୍ୟକ ରହିଛି। ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ପଲିଥିନ ବ୍ୟବହାର ନକରିବା ଲାଗି ନିବେଦନ କରାଯାଇଛି। ଗୁରୁବାର ଅନୁଷ୍ଠିତ ହୋଇଥିବା ଏହି ଶୋଭାଯାତ୍ରାରେ ମାଲକାନଗିରି ଏସପି ଜଗମୋହନ ମୀନା, ବନଖଣ୍ତି ଅଧିକାରୀ ପ୍ରଦୀପ ମୀରସେଙ୍କ ସମେତ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ଓ ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ