ମାଲକାନଗିରି : ଦୀର୍ଘ ଦିନ ପରେ ପୁଣି ଫେରିଲା ମାଲକାନଗିରି ଜିଲ୍ଲାରେ କୋରୋନା ମହାମାରୀ । ମାଲକାନଗିରି ଜିଲ୍ଲା ସମେତ ଦଶଟି ଜିଲ୍ଲାକୁ ଘୋଷଣା ହେଲା ନାଇଟ କର୍ଫ୍ୟୁ । ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି 10ଟା ଠାରୁ ସକାଳ 5 ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କ ମଧ୍ୟରେ ସଚେତନତା ଆରମ୍ଭ କରିଦେଇଛି ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଜିଲ୍ଲାରେ କୋରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ଜୀବନ ସୁରକ୍ଷା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଜିଲ୍ଲାରେ ପୂର୍ବରୁ ବଡ଼ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଦୃଷ୍ଟିରେ ରଖି ଗତ 23 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ନିର୍ଦ୍ଧେଶନାମା ଜାରି କରିଥିଲେ । ପୁଣି ସପ୍ତାହ ନପୁରୁଣୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ ।
ଗତ କିଛି ମାସ ହେବ ଜିଲ୍ଲାରେ କୋରୋନା ମହାମାରୀକୁ ମାତ ଦେବାରେ ସଫଳ ହୋଇଥିଲା ଜିଲ୍ଲା ପ୍ରଶାସନ । ତେବେ ଗତକାଲି ପୁଣି ଦୁଇଜଣ କୋରୋନା ପଜିଟିଭ ହୋଇଥିବା ଦେଖିବାକୁ ମିଳିଛି । ତେଣୁ, ଆଗକୁ ଯେଭଳି ସଂକ୍ରମଣ ନବ୍ୟାପେ ସେଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ମାର୍କେଟରେ ସାମାଜିକ ଦୂରତା ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମନ୍ଦିର ମଠରେ ଦୂରତା ବଜାୟ ରଖିବା ଦୋକାନ ଆଗରେ ଦଉଡି ଟାଣିବା ଭଳି ନିର୍ଦ୍ଧେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ । ଅମାନିଆକୁ ସାବାଡ଼ କରିବାକୁ ମଧ୍ୟ ଫାଇନର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏହି କର୍ଫ୍ୟୁ ପାଇଁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ