ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲଟିର ଓ୍ବାର୍ଡ ନମ୍ବର ୩ରେ ରହୁଥିବା ଲୋକମାନେ ମ୍ୟୁନିସିପାଲଟି ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି । କାରଣ ଏଠାକାର ଲୋକମାନେ ଦୀର୍ଘବର୍ଷ ହେବ ଏଠାରେ ରହି ଆସୁଥିବାବେଳେ କୌଣସି ବି ପରିବାରକୁ ବର୍ତ୍ତମାନ ସୁଦ୍ଧା ଘରବାଡି ପଟ୍ଟା ମିଳିନାହିଁ ।
ଆଗକୁ ମ୍ୟୁନିସିପାଲଟି ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି ଜାରି କରାଯିବା ପରେ ୩ ନମ୍ବର ଓ୍ବାର୍ଡର ଲୋକମାନେ ସ୍ଥାନୀୟ ତ୍ରିନାଥ ମନ୍ଦିର ନିକଟରେ ବୈଠକ କରି ଆଲୋଚନାରେ ନିଷ୍ପତ୍ତି ନେଇଥିଲେ ଯେ, ପଟ୍ଟା ନାହିଁ ତ ଭୋଟ ନାହିଁ । ଏଭଳି ନାରା ଦେବାସହ ଏହି ଓ୍ବାର୍ଡରୁ କେହିବି କାଉନସିଲର୍ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ନାହିଁ ବୋଲି ଶପଥପାଠ କରିଥିଲେ ।
ଏଠାକାର ଲୋକମାନେ ଦୀର୍ଘ ଦିନଧରି ରହିଆସୁଥିଲେ ମଧ୍ଯ ପଟ୍ଟା ମିଳିନଥିବାବେଳେ 1974 ମସିହାରେ ସରକାରୀ ଚାକିରି କରୁଥିବା ମଧୁସୂଦନ ବେହେରା ନାମକ ବ୍ୟକ୍ତି ଲିଜରେ ଜାଗା ନେଇଥିଲେ । ହେଲେ ସେ ଜାଗାକୁ ସେ ଯେଉଁ ଉଦ୍ଦେଶ୍ୟରେ ନେଇଥିଲେ ସେହି କାର୍ଯ୍ୟରେ ନଲଗାଇ ସେମିତି ପକାଇ ରଖିଥିଲେ, ଯାହା ଫଳରେ ସେତେବେଳେ ହିଁ ଉକ୍ତ ଜାଗାର ଲିଜ୍ ଖାରଜ କରାଯିବା କଥା କନ୍ତୁ, ସେତେବେଳେ ଉପଜିଲ୍ଲାପାଳ ଲିଜ୍ ଖାରଜ କରିନଥିଲେ । ହେଲେ 1996 ମସିହାରେ ମଧୁସୂଦନଙ୍କ ପୁଅ ଖିରବ୍ଦି ବେହେରା ମାଲକାନଗିରି ତହସିଲଦାର ଭାବେ ଯୋଗଦେବା ପରେ ବାପାଙ୍କ ନାମରେ ଥିବା ଲିଜ୍ ଜାଗାକୁ ଚଞ୍ଚକତା କରି ନିଜ ବାପାଙ୍କ ନାମରେ ପଟ୍ଟା କରାଇଥିଲେ । ଖିରବ୍ଦି ବେହେରା ଏବେ ମାଲକାନଗିରି ପିଏ ଆଇଟିଡିଏ ପଦବିରେ ଅଛନ୍ତି । ଏଭଳି ଜଣେ ଭ୍ରଷ୍ଟାଚାରୀ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆସିଛି ।
ଏହି କାରଣକୁ ନେଇ ୩ ନମ୍ବର ଓ୍ବାର୍ଡ ବାସିନ୍ଦାମାନେ ବାରମ୍ବାର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ଯ ତାଙ୍କ କଥା ଜିଲ୍ଲା ପ୍ରଶାସନ ଶୁଣିନଥିବାରୁ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଥିବା କହିଛନ୍ତି ବସ୍ତି ବାସିନ୍ଦା । ଏହି ବିଷୟରେ ପିଏଆଇଟିଡିଏଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ