ମାଲକାନଗିରି: ବାହାଘରକୁ ଥିଲା ମାତ୍ର 4 ଦିନ । ହାତକୁ ଦି ହାତ ହୋଇଥାନ୍ତେ ଯୁବତୀ । ଘରେ ଚାଲିଥିଲା ବିବାହ ପ୍ରସ୍ତୁତି । ବାଜିଥାନ୍ତା ସାହାନାଇ, ପଡିଥାନ୍ତା ହାତଗଣ୍ଠି । ବାହାଘରକୁ ଆଉ ଅଳ୍ପଦିନ ରହିଥିବା ବେଳେ ହସ ଖୁସିରେ ଫାଟି ପଡୁଥିଲା ଘର । ହେଲେ ପରିବାରଲୋକଙ୍କ ଖୁସି କ୍ଷଣିକରେ ଦୁଃଖରେ ବଦଳି ଯାଇଛି । ବିବାହର 4ଦିନ ପୂର୍ବରୁ ମିଳିଛି ଯୁବତୀ ଓ ତାଙ୍କ ପ୍ରେମିକଙ୍କ ମୃତଦେହ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଏମ ଭି ୭ରେ । ଗତ ମଙ୍ଗଳବାରଠୁ ଯୁବତୀ ନିଖୋଜ ଥିବା ବେଳେ ଆଜି ମିଳିଛି ତାଙ୍କ ମୃତଦେହ ।
ସେପଟେ ଝିଅ ବାହାଘରକୁ ନେଇ ପରିବାର ଲୋକେ ଅନେକ ସ୍ବପ୍ନ ଦେଖିଥିବା ବେଳେ ଏବେ ସବୁ ପାଣି ଫୋଟକା ପରି ମିଳେଇ ଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
କଣ ଥିଲା ପୁରା ଘଟଣା: ମୃତ ଯୁବତୀ ନନ୍ଦେ ମାଡକାମୀ ଓ ତାଙ୍କ ପ୍ରେମିକ ନବୀନ ମାଡକାମୀ ତମସା ପଞ୍ଚାୟତ ଆରୋ କଲୋନୀ ବାସିନ୍ଦା । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମୃତ ପୁଅ ଓ ଝିଅ ଆଗରୁ ପରସ୍ପରକୁ ଭଲ ପାଇ ଆସୁଥିଲେ । ଦୁହେଁ ଆଦିବାସୀ ଜାତିର ହୋଇଥିବାରୁ କୌଣସି କାରଣ ଯୋଗୁଁ ସେମାନଙ୍କ ପରିବାର ପ୍ରେମକୁ ସ୍ୱୀକାର କରିନଥିଲେ । ହେଲେ ଝିଅଟିର ବିବାହ ଅନ୍ୟତ୍ର ନିଶ୍ଚିତ କରାଯାଇଥିବା ବେଳେ ଗତ ମଙ୍ଗଳବାର ଦିନରୁ ଝିଅ ଓ ପୁଅ ନିଖୋଜ ଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜା ଖୋଜି କରିଥିଲେ କିନ୍ତୁ ସେମାନଙ୍କ କୌଣସି ଖବର ମିଳିନଥିଲା ।
ଏନେଇ ଆଜି ସକାଳେ ଗ୍ୟାରେଜ ପିଲା ଶୌଚ ପାଇଁ ଯିବା ସମୟରେ ଏମଭି ୭ ମୁଖ୍ୟ ରାସ୍ତା କଡ଼ ଜଙ୍ଗଲରେ ଦୁଇ ଜଣଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ନିଜ ପରିବାର ଲୋକେ ପହଞ୍ଚି ମୃତଦେହ ଠାବ କରିଥିଲେ । ଅପରପଟେ ଘଟଣାର ଖବର ପାଇ ମାଲକାନଗିରି ଏସ୍ଡିପିଓ ସଚିନ ପଟେଲ୍, ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ଓ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ କେଉଁ କାରଣରୁ ଉଭୟଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପ୍ରେମ ପାଇଁ ଦୁହେଁ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ଏନେଇ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କଲାପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ମାଲକାନଗିରି ଏସ୍ଡିପିଓ ।
ଇଟିଭି ଭାରତ, ମାଲକାନଗିରି