ମାଲକାନଗିରି: ଉଦଘାଟିତ ହେବ ଜିଲ୍ଲା ସଦର ମହକୁମାରେ ଥିବା ଅନ୍ବେଷା ଗୃହ । ଆସନ୍ତାକାଲି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ହେଲେ ଏହାପୂର୍ବରୁ ଅନ୍ବେଷା ଗୃହର ରଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି । ରଙ୍ଗ ଦେବା କାର୍ଯ୍ୟ ଶେଷ ହୋଇଥିବା ବେଳେ ପୁନଃ ଏହାର ରଙ୍ଗ ବଦଳା ଯାଉଛି(controversy for Anwesha building colour ) । ଏହାକୁ ନେଇ ଜିଲ୍ଲ କଂଗ୍ରେସ ପ୍ରଶ୍ନ ଉଠାଇଛି ।
ନୂତନ ଅନ୍ବେଷା ଗୃହକୁ ୫T ରଙ୍ଗରେ ବଦଳା ଯାଉଥିବା ଜିଲ୍ଲା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ଏହାପୂର୍ବରୁ ଗୃହର ରଙ୍ଗ ଦେବା କାର୍ଯ୍ୟ ଶେଷ ହୋଇଥିଲା । ମଙ୍ଗଳବାର ଏହା ଉଦଘାଟିତ ହେବାକୁ ଥିବା ବେଳେ ତରବରିଆ ଭାବରେ ଏହାର ରଙ୍ଗ ବଦଳା ଯାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ବିଲ୍ଡିଂରେ ଧଳା ରଙ୍ଗ ମରା ଯାଇଥିଲା । ବର୍ତ୍ତମାନ ଏହାକୁ ଆଶିଂକ ସବୁଜ ରଙ୍ଗ ଦିଆଯାଉଛି ।
ଏହାକୁ ନେଇ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଯାଇ ଉପସ୍ଥିତ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ କୌମସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଉତ୍ତେଜନା ପ୍ରକାଶ ପାଇଛି । ଏହି କୋଠାଘର ନିର୍ମାଣ ଦାୟିତ୍ବ ପ୍ରଥମେ ହାଉସିଂବୋର୍ଡକୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଦାୟିତ୍ବକୁ ITDAକୁ ହସ୍ତାନ୍ତର କରାଯାଇଥିଲା । ହାଉସିଂବୋର୍ଡ ଯନ୍ତ୍ରୀଙ୍କୁ ରଙ୍ଗ ବାବଦରେ ପ୍ରଶ୍ନ କରିବାରୁ ସେ ITDA ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସେପଟେ ITDA ପିଏଙ୍କୁ ଏହାକୁ ନେଇ ଉତ୍ତର ମଗାଯିବାରୁ ସେ କୌଣସି ଉତ୍ତର ରଖି ପାରିନାହାନ୍ତି ।
ଖାଲି ସେତିକି ନୁହେଁ କୋଠାଘର ନିର୍ମାଣ ବେଳେ ଅନ୍ୟାନ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇନଥିବା କଂଗ୍ରେସ ଅଭିଯୋଗ କରିଛି । ଏଠାରେ ନିମ୍ନମାନର କାମ କରି ଟଙ୍କା ହଡ଼ପ କରାଯାଇଥିବା ସ୍ଥାନୀୟ କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି । ଆସନ୍ତା ନିର୍ବାଚନରେ ପରାଜୟର ଭୟ ଥିବାରୁ ଅନ୍ବେଷା କୋଠାକୁ ବିଜେଡି ରଙ୍ଗରେ ରଙ୍ଗୀନ କରିବାକୁ ଚେଷ୍ଟା କରାଯାଉଛି । ଆବଶ୍ୟକ ପଡ଼ିଲେ ସରକାର ବିଧାନସଭା ଗୃହକୁ ମଧ୍ୟ ବିଜେଡି ରଙ୍ଗରେ ରଙ୍ଗେଇ ଦେବେ ବୋଲି ଅଭିଯୋଗ କରିଛି କଂଗ୍ରେସ ।
ଇଟିଭି ଭାରତ, ମାଲକାନଗିରି