ମାଲକାନଗିରି: ଜିଲ୍ଲା ସଦର ମହକୁମାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ କନେଷ୍ଟବଳ ନିଜ ପ୍ରେମିକାର ଅପମାନ ଓ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ନିଜ ପିସ୍ତଲରୁ ନିଜ ଉପରକୁ ଗୁଳି ଚଳାଇ ସେ ଆତ୍ମହତ୍ୟା କରିଥିବାର ସୂଚନା ରହିଛି ।
ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସଦର ମହକୁମାର ଝାଟିମାଟି କଲୋନୀରେ ସୁନିଲ କୁମାର ମହାନନ୍ଦିଆ ନାମକ ରିଜର୍ଭ ଅଫିସର କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି । ସେ ଚିତ୍ରକୋଣ୍ଡା ବିଧାନସଭା ମଣ୍ଡଳୀର ବିଜେପି ପ୍ରାର୍ଥୀ ପଦୁ ମାଝିଙ୍କ ପିଏସଓ ଭାବେ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ । ଗତକାଲି ନିର୍ବାଚନ କାର୍ଯ୍ୟରୁ ଫେରି ନିଜ ଘର ଝାଟିମାଟି କଲୋନୀରେ ସେ ରହିଥିଲେ । ତେବେ ଆଜି ହଠାତ୍ ତାଙ୍କ ଘର ଭିତରୁ ଗୁଳି ଫୁଟିବାର ଶବ୍ଦ ପାଖ ପଡୋଶୀ ଶୁଣି ସୁନିଲଙ୍କ ଘରକୁ ଯାଇଥିଲେ । ସେଠାରେ ସୁନିଲଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବାର ଦେଖିଥିଲେ ।
ଏହାପରେ ପଡୋଶୀମାନେ ଥାନା ଓ ତାଙ୍କ ବାପାଙ୍କୁ ସୂଚନା ଦେବା ସହ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ମାଲକାନଗିରି ହସ୍ପିଟାଲକୁ ନେଇ ଯାଇଥିଲେ । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ସୁନିଲଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣାସ୍ଥଳରେ ମାଲକାନଗିରି ଥାନା ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଏହା ସମ୍ପର୍କରେ ମାଲକାନଗିରି ଥାନାରେ ଏକ କେସ ରୁଜୁ କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ପ୍ରକାଶ ଯେ ଗତବର୍ଷ ସୁନିଲଙ୍କର ଜଣେ ମହିଳା କନେଷ୍ଟବଳଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କୌଣସି କାରଣ ଯୋଗୁଁ ସୁନିଲଙ୍କ ପରିବାର ଲୋକେ ଏହାକୁ ବାରଣ କରିବାରୁ ସୁନିଲ ସେହି ମହିଳା କନେଷ୍ଟବଳଙ୍କ ସହିତ ସମ୍ପର୍କ ତୁଟାଇ ଦେଇଥିଲେ ।
ତେବେ ସମ୍ପୃକ୍ତ ମହିଳା କନେଷ୍ଟବଳ ସୁନିଲଙ୍କ ନାମରେ ମାଲକାନଗିରି ଥାନାରେ ଗତବର୍ଷ ତଳେ ଏକ କେସ ରୁଜୁ କରିଥିଲେ । ଏହି ମାମଲାରେ ସୁନିଲ ହାଇକୋର୍ଟରେ ଜାମିନରେ ଆସିଥିବାବେଳେ ସେହି କେସଟି କୋର୍ଟରେ ବିଚାରଧୀନ ଥିଲା । ହେଲେ ଆଜି ସମ୍ପୃକ୍ତା ମହିଳା କନେଷ୍ଟବଳ ୨୦ରୁ ଊର୍ଦ୍ଧ୍ବ ମହିଳାଙ୍କ ସହ ସୁନିଲଙ୍କ ଘରକୁ ଆସି ତାଙ୍କୁ ଅପମାନ କରିଥିଲେ ।
ସେ ସମସ୍ତଙ୍କ ସାମନାରେ ସୁନିଲଙ୍କୁ ନାନା ପ୍ରକାର ଗାଳିଗୁଲଜ କରିଥିବାର ଅଭିଯୋଗ ରହିଛି । ସୂଚନାନୁସାରେ ଏହାପରେ ସୁନିଲ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇପଡିଥିଲେ । ତାଙ୍କ ମନଦୁଃଖ ଥିଲା ବୋଲି ଜଣାପଡିଛି । ଏହାପରେ ସେ ଆତ୍ମହତ୍ୟା କରିଥିଲେ ବୋଲି ସୂଚନା ରହିଛି । ତେବେ ସୁନିଲର ଆତ୍ମହତ୍ୟା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ