ରୂପାନ୍ତର ପଥେ ମାଲକାନଗିରି, ସପ୍ତଧାରା ଜଳସେଚନ ପ୍ରକଳ୍ପକୁ ଅନୁମୋଦନ - Malkangiri news
Saptadhara Irrigation Project : ରୂପାନ୍ତର ପଥରେ ମାଲକାନଗିରି । ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଅଧିକ ପଢନ୍ତୁ
Published : Jan 9, 2024, 6:00 PM IST
ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ମଙ୍ଗଳବାର) ଜିଲ୍ଲା ଗସ୍ତ କରି ବିମାନ ବନ୍ଦର ଉଦଘାଟନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏହାରି ସହିତ ଧୀରେ ଧୀରେ ରୂପାନ୍ତର ପଥରେ ଆଗଉଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି । ମୁଖ୍ୟମନ୍ତ୍ରୀ ସପ୍ତଧାରା ନଦୀରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଦେଇଛନ୍ତି । ଏହାଦ୍ବାରା ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା ପାଇପାରିବେ ଚାଷୀ ।
ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପ ପ୍ରସ୍ତାବ ପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ ଗତ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥାନୀୟ ଜନସାଧାରଣଙ୍କ ସହିତ ସପ୍ତଧାରା ନଦୀରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ପ୍ରସ୍ତାବକୁ ଗୁରୁତ୍ବ ଦେଇ ପ୍ରାୟ 4000 କୋଟି ଟଙ୍କା ବ୍ୟୟ ଅଟକଳରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରାଯାଇ ବୈଷୟିକ ପରାମର୍ଶଦାତା କମିଟିର ଅନୁମୋଦନ ଲାଗି କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରେରଣ କରାଯାଇଛି ।
ଏହା ବି ପଢନ୍ତୁ- ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଏହି ପ୍ରକଳ୍ପ ଅଧୀନରେ ସପ୍ତଧାରା ଓ ଗରିଆଠାରେ ଦୁଇଗୋଟି ଡ୍ୟାମ, ଏକ ସଂଯୋଗୀକରଣ ଟନେଲ ଓ ଭୂତଳ ପାଇପଲାଇନ ଦ୍ଵାରା ଜଳସେଚନର ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର 4ଗୋଟି ବ୍ଲକ ଯେପରିକି ମାଲକାନଗିରି, ମାଥିଲି, ଖଇରିପୁଟ ଓ କୋରକୁଣ୍ଡାରେ ଅତିରିକ୍ତ ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା ସୃଷ୍ଟି କରାଯିବା ସହିତ 1.5୦ ଲକ୍ଷ ସ୍ଥାନୀୟ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଯାଇପାରିବ । ଆସନ୍ତା ଜୁଲାଇ ମାସ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହା ବି ପଢନ୍ତୁ- ମାଲକାନଗିରିରୁ ଖୁବଶୀଘ୍ର ଉଡିବ ବିମାନ, ସଫଳ ହେଲା ବିମାନ ଟ୍ରାଏଲ ରନ୍
ସୂଚନା ଥାଉ କି କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍କେଲା, ରାଉରକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର ସ୍ଥାପନ କରାଯିବା ପରେ ଆଜି ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନ ବନ୍ଦର ଉଦଘାଟନ କରିଛନ୍ତି । ଏହାସହିତ ଆକାଶ ପଥରେ ଯୋଡ଼ି ହୋଇଛି ଜିଲ୍ଲା । ଏହା ଦ୍ବାରା ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହୋଇଛି । ଏଣିକି ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ମାଲକାନଗିରି