ମାଲକାନଗିରି: ଜିଲ୍ଲାର ଅନେକ ଗ୍ରାମ ରହିଛି ଯେଉଁଠିକି ଦିନେ ନକ୍ସଲମାନେ ବନ୍ଧୁକ ଧରି ବୁଲୁଥିଲେ ସେଠାରେ ଆଜି ପୋଲିସ ଯବାନ ମାନେ ବୁଲୁଛନ୍ତି । ଆଗରୁ ସେଠାରେ ନକ୍ସଲଙ୍କ ରାଜ ଚାଲିଥିଲା । ଗାଁର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଥିଲେ ନକ୍ସଲ ସମର୍ଥକ । ତେବେ ମାଲକାନଗିରି ପୋଲିସର ଉଦ୍ୟମରେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳ ସହ ମାଥିଲି ବ୍ଲକର ଟେମୁରପାଲ୍ଲୀ, ଓ କିଆଙ୍ଗ ଅଞ୍ଚଳରେ BSF କ୍ୟାମ୍ପ ସ୍ଥାପନ ହେବା ପରେ ବଦଳିଛି ଗାଁର ଚିତ୍ର । ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳରେ ଆଦିବାସୀମାନେ ଶାନ୍ତିରେ ନିଶ୍ବାସ ନେଇପାରୁଛନ୍ତି । BSF ଯବାନମାନେ ଆଦିବାସୀଙ୍କ ନିକଟତର ହୋଇ ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି ।
ମାଓ ପ୍ରବଣ ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତ ଗାର୍ଗୀପଦର ଗ୍ରାମ ସହିତ ଓଡିଶା ଛତିଶଗଡ଼ ସୀମାନ୍ତ ଟେମୁରପାଲ୍ଲୀ ଓ କିଆଙ୍ଗ ଗାଁରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଘରୋଇ ସାମଗ୍ରୀ ଓ ଖାଦ୍ୟ ବସ୍ତ୍ର ବଣ୍ଟନ କରାଯାଇ ଆଦିବାସୀ ଲୋକଙ୍କ ସହ ମିଶି ପୋଲିସ ଓ BSFର ଯବାନ ମାନେ ଭୋଜିଭାତ କରି ଆଦିବାସୀଙ୍କ ମନ ଓ ହୃଦୟ ଜିତିଥିଲେ । ପରେ ଉପସ୍ଥିତ ଗାଁର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରିକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।
ଏହା ସହ ଲୋକଙ୍କୁ ଶୀତବସ୍ତ୍ର, ଚାଷ ସାମଗ୍ରୀ ଓ ଘରୋଇ ଉପକରଣ ମଧ୍ୟ ବାଣ୍ଟିଥିଲେ। ଗତ ୭ ଦଶନ୍ଦି ଧରି ଏହି ଗ୍ରାମ ସବୁ ନକ୍ସଲ ମାନଙ୍କ କବଜାରେ ରହିଛି । ଗ୍ରାମବାସୀମାନେ ଆଗକୁ ବନ୍ଦୁକର ଗୁଳି ନୁହେଁ ସରକାରଙ୍କୁ ସହଯୋଗ କରିବା ସହ ବିକାଶ ଧାରାରେ ସାମିଲ ହେବେ ବୋଲି କହିଛନ୍ତି । ଏହି ଗରିବ ଲୋକଙ୍କୁ କିପରି ସେମାନଙ୍କର ହକ୍ ପହଞ୍ଚିବ ଏବଂ ଏହି ଅଂଚଳର ବିକାଶ ହେବ ସେନେଇ ଏକ ଆଲୋଚନା କରାଯାଇଥିଲା।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ