ମାଲକାନଗିରି: କୋରକୋଣ୍ଡା ବ୍ଲକର ନକମାମୁଡ଼ି ପଞ୍ଚାୟତର ପିପଳପଦର ଠାରେ ୧୪୪ ବିଏସଏଫ ବାଟାଲିୟନ ପକ୍ଷରୁ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ବିଏସଏଫର ସେକେଣ୍ଡ ଇନ କମାଣ୍ଡାଣ୍ଟ ଏବଂ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ପୁରୁଷ ଏବଂ ଶିଶୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହା ମାଧ୍ୟମରେ ବିଏସଏଫ ଯବାନ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି। ନକ୍ସଲଙ୍କ ସମର୍ଥନ ନକରି ସରକାର ଏବଂ ବିକାଶକୁ ସମର୍ଥନ କରିବାକୁ ଲୋକଙ୍କୁ ବୁଝାଯାଇଛନ୍ତି। ବିଏସଏଫ ଏଠାକୁ ଲୋକଙ୍କୁ ସୁରକ୍ଷା ଦେବାକୁ ଆସିଛନ୍ତି। କେବଳ ନକ୍ସଲଙ୍କୁ ଏଠାରେ ବିତାଡିତ କରି ପୁଣି ଲୋକଙ୍କ ନିକଟରେ ଖୁସି ଫେରାଇ ଆଣିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି।

ନିଜ ଜୀବନକୁ ବାଜି ଲଗାଇ ଯବାନ ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ସହ ସମାଜର ମଙ୍ଗଳ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରୁଥିବା କୁହାଯାଇଛି। ନକ୍ସଲ ଯୋଗୁଁ କେବେ ମଧ୍ୟ ସମାଜର ଏବଂ ଅଞ୍ଚଳର ବିକାଶ ହୋଇପାରିବ ନାହିଁ ବୋଲି କୁହାଯାଇଛି। ଏହି ଅବସରରେ ଲୋକଙ୍କୁ ଦୈନନ୍ଦିନ ଉପକରଣ ଯଥା ବାଲଟି,ମଗ,କଢେଇ,ହାଣ୍ଡି,ଗ୍ଲାସ ସମେତ ଯୁବକ ବନ୍ଧୁମାନଙ୍କୁ କ୍ରିକେଟ କିଟ୍, ଫୁଟବଲ,ଭଲିବଲ ସମେତ ଅନ୍ୟ ଖେଳ ସାମଗ୍ରୀ ପ୍ରଦାନ କରାଯାଇଛି। ପିଲାମାନଙ୍କୁ ବହିପତ୍ର, ପେନ, ପେନସିଲ , ବ୍ୟାଗ ସହ ଗାମୁଛା,ଟି-ସାର୍ଟ,ପ୍ୟାଣ୍ଟ ଇତ୍ୟାଦି ମଧ୍ୟ ପ୍ରଦାନ କରାଯାଇଛି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ