ମାଲକାନଗିରି: କାଲିମେଳା ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆଶାୟୀ ରୀନା କବାସୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ ବିବାଦ ଥମିବାର ନାଁ ଧରୁନି । ରୀନା କବାସୀଙ୍କୁ ସୁଧୀର ସ୍ବାଇଁ ନାମକ ବ୍ୟକ୍ତି ୧୦ ଲକ୍ଷ ଟଙ୍କା ଦେଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଇଥିବା ନେଇ ଅଭିଯୋଗ ହୋଇଛି । ଶାସକ ବିଜେଡି ଦଳ ଏଠାରୁ ହାରିବା ଭୟରେ ଏଭଳି କାର୍ଯ୍ୟ କରାଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ରୀନା କବାସୀଙ୍କ ଭାଇ ଭୀମ କବାସୀଙ୍କ ଓ ତାଙ୍କ ବାପାଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଆଲୋଚନା ହେଉଛି ।
ରୀନା କବାସୀଙ୍କୁ ସୁଧୀର ସ୍ବାଇଁ ସାଙ୍ଗରେ କୋରାପୁଟ ନେଇ ଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗ ପରେ ସୁଧୀର ସ୍ବାଇଁ ଫେରାର ରହିଥିବା ନେଇ ଆଲୋଚନା ହୋଇଥିଲା । ଏହାକୁ ନେଇ ପୂର୍ବରୁ ବିଜେପି ଅଭିଯୋଗ କରିଥିବାବେଳେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅନ୍ୟପଟେ ବିଜେପିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ବିଜେଡି ନେତା ।
ବିଜେପି ଏହି ଆସନରୁ ହାରିବା ଭୟରେ ବିରୋଧୀ ଦଳ ଏଭଳି କହିଥିବା କଥା କହିଛି ବିଜେଡି । ବିଜେପି ନିଜ ପ୍ରାର୍ଥୀକୁ ନିଜେ ସମ୍ଭାଳି ପାରୁନାହାନ୍ତି । ଚାଲି ନଜାଣି ବାଟକୁ ଦୋଷ ଦେଉଛନ୍ତି ବିଜେପି କର୍ମୀ । ଲୋକ ସମର୍ଥନ ନଥିବାରୁ ବିଜେପି ଏଭଳି ଅଭିଯୋଗ ଆଣିଥିବା କଥା କହିଛି ବିଜେଡି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ