ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବଳବତ୍ତର ରହିଲା 144 ଧାରା । ଉତ୍ତେଜିତ ଲୋକଙ୍କ ସହ ମାଲକାନଗିରି ଏସପି ଏବଂ ଚିତ୍ରକୋଣ୍ଡା ତହସିଲଦାର ଆଲୋଚନା କରିବା ପରେ ଅଞ୍ଚଳବାସୀ 13 ଦଫା ଦାବି ପତ୍ର ପ୍ରଦାନ କରିବା ପରେ ସାମାନ୍ୟ ଶାନ୍ତି ଫେରିଛି ।
ଗତ 15 ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକକୁ ଅପହରଣ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗରେ ବହୁ ସଂଖ୍ୟାକ ଆଦିବାସୀ ମେଳି ବାନ୍ଧିଥିବା ନେଇ ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି ।
ଏ ଘଟଣାରେ ଆନ୍ଧ୍ର ଏବଂ ଓଡ଼ିଶାର ବହୁ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଠୁଳ କରିବାର ଖବର ପାଇବା ପରେ ପ୍ରଶାସନ ସତର୍କ ହୋଇ ଉଠିଛ । ଲୋକଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରାର ବ୍ୟବହାର କରାଯିବା ସହ ପୋଲିସ ଫୋର୍ସକୁ ସଜାଗ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିବା ସହ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ।
ତେବେ ଗତ 15ତାରିଖରେ ମଧ୍ୟ ଯନ୍ତାପାଇ ଅଙ୍ଗନବାଡିରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏଥିରେ ବିଏସଏଫ ଯବାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ