ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଘୋଡାଦୌଡ଼ ପ୍ରତିଯୋଗିତା । ତେବେ ଆନୁଷ୍ଠାନିକ ଭାବରେ ଏହି ଘୋଡ଼ାଦୌଡ଼ ପ୍ରତିଯୋଗିତାକୁ ଆୟୋଜନ କରାଯାଇନଥିଲା । ସ୍ଥାନୀୟ ଅଞ୍ଚଳର କିଛି ୮ରୁ ୧୨ ବର୍ଷର ପିଲାମାନେ ଏଭଳି ପ୍ରତିଯୋଗିତା କରିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଦୃଶ୍ୟକୁ ସ୍ଥାନୀୟ ଲୋକ ଖୁବ ଉପଭୋଗ କରିଛନ୍ତି । ଗୁରୁପ୍ରିୟା ସେତୁ ଉଦଘାଟନ ପୂର୍ବରୁ ଏହି ଘୋଡ଼ା ହିଁ ସ୍ଥାନୀୟ ଲୋକଙ୍କ ପରିବହନର ମାଧ୍ୟମ ଥିଲା । ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମ ବା ପଡ଼ୋଶୀ ରାଜ୍ୟକୁ ଯିବାକୁ ହେଲେ ଲୋକେ ଘୋଡ଼ା ଉପରେ ନିର୍ଭରଶୀଳ ରହୁଥିଲେ ।
୨୦୧୮ ମସିହା ଜୁଲାଇ ମାସରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବିଚ୍ଛିନ୍ନାଞ୍ଚଳ ସ୍ବାଭିମାନ ଅଞ୍ଚଳରେ ପରିଣତ ହୋଇଥିଲା । ଏବେ ଗାଁ ଗାଁକୁ ରାସ୍ତା ତିଆରି ଚାଲିଛି । ଲୋକେ ଘୋଡ଼ା କମ୍ ବ୍ୟବହାର କମ୍ କରୁଛନ୍ତି । ଏବେ ମଟର ସାଇକେଲ କିମ୍ବା ଚାରିଚକିଆ ଯାନ ଯିବାଆସିବା କରୁଥିବା ଦେଖିବାକୁ ମିଳିଛି । ବିଚ୍ଛିନ୍ନାଞ୍ଚଳ ନକ୍ସଲଙ୍କର ଗଡ ଥିବା ବେଳେ ଏଠାରେ ସେମାନଙ୍କର ନିୟମ କାନୁନ ଚାଲୁଥିଲା ।
ବର୍ତ୍ତମାନ ସ୍କୁଲ ଖୋଲିନଥିବାରୁ ପିଲାମାନେ ନିଜର ଆନନ୍ଦ କୌତୁହଳ ପାଇଁ ଘୋଡ଼ାଦୌଡ଼ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି । ଏମାନେ କୌଣସି ତାଲିମ ନେଇନାହାନ୍ତି । କିନ୍ତୁ ପିଲାଟି ଦିନରୁ ଘୋଡ଼ା ପିଠିରେ ବସି ସେମାନଙ୍କୁ ନିଜ ଆୟତ୍ତକୁ ଆଣିବାର କଳାକୌଶଳ ଶିକ୍ଷା ଲାଭ କରିଛନ୍ତି । ସ୍ବାଭିମାନ ଅଞ୍ଚଳର ପକ୍କା ରାସ୍ତାରେ ପିଲାମାନେ ନିଜ ଘୋଡାରେ ଏବେ ସ୍କୁଲ ଯିବାକୁ ପସନ୍ଦ କରୁଛନ୍ତି। ପିଲାଙ୍କୁ ଯଦି ଏବେ ଠାରୁ ଘୋଡା ଦୌଡ ପ୍ରତିଯୋଗିତା ପାଇଁ ଶିକ୍ଷା ଦିଆଯାଏ, ତେବେ ଏମାନେ ଜଣେ ଜଣେ ଦକ୍ଷ ଖେଳାଳୀ ହୋଇପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ସ୍କୁଲ ପ୍ରାୟ ଦୁଇ ତିନି କିଲୋମିଟର ଦୂରରେ ରହିଥିବାରୁ ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ଘୋଡା ଦେବାରେ କୁଣ୍ଠାବୋଧ କରୁନାହାନ୍ତି । ସ୍ବାଭିମାନ ଅଞ୍ଚଳର ପ୍ରାୟ ସବୁ ଗାଁରେ ଘୋଡ଼ା ରହିଛି । ଯାହାର ଘୋଡା ନାହିଁ ସେ ଘୋଡାକୁ ଭଡା ସୂତ୍ରରେ ନେଉଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ