ମାଲକାନଗିରି: କୋରୋନାକୁ ମାତ ଦେଲେ 75 ବର୍ଷୀୟ ପକ୍ଷାଘାତ ପୀଡିତ ବୃଦ୍ଧା । ଏଚଏଫଏନସି ମେସିନ ସାହାଯ୍ୟରେ ସୁସ୍ଥ ହେଲେ ମାଲକାନଗିରି ସାମବାୟଗୁଡାର ସୁଶାନ୍ତ ପଣ୍ଡାଙ୍କ ମା’ ମହାଲକ୍ଷ୍ମୀ ପଣ୍ଡା।
ସୂଚନା ଅନୁସାରେ, ମହାଲକ୍ଷ୍ମୀ ପଣ୍ଡାଙ୍କୁ ବର୍ତ୍ତମାନ 75 ବର୍ଷ। ସେ ପକ୍ଷଘାତ ରୋଗରେ ପୀଡିତ ଯୋଗୁଁ ଶେଯରୁ ଉଠି ପାରୁନଥିଲେ । ଗୋଟିଏ ସ୍ଥାନରେ ପଡି ରହୁଥିଲେ। ଆଉ ନିକଟରେ ଜ୍ବର ହେବାରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ପଜେଟିଭ୍ ଆସିବା ପରେ ତାଙ୍କୁ ଗତ 21 ତାରିଖରେ ସ୍ଥାନୀୟ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଉଚ୍ଚ ରକ୍ତଚାପ ମଧ୍ୟ ରହିଛି। ସେଠାରେ ସେ ଧିରେ ଧିରେ ଗୁରୁତର ହେବାକୁ ଲାଗିଲେ ।
ଗୋଟିଏ ପଟେ ପକ୍ଷାପାତ ଏବଂ ଅନ୍ୟପଟେ କୋରୋନାରେ ଆକ୍ରାନ୍ତ, ମହାଲକ୍ଷ୍ମୀଙ୍କୁ ମୃତ୍ୟୁ ଆଡକୁ ଟାଣି ନେଉଥିଲା। ଡାକ୍ତର ମଧ୍ୟ ଆଶା ଛାଡି ଦେଇଥିଲେ । ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିଲା । ଅକ୍ସିଜେନ ଦେଲେ ମଧ୍ୟ କାମ କରୁନଥିଲା। ଡାକ୍ତରମାନେ ମଧ୍ୟ କଣ କରିବେ କିଛି ଭାବି ପାରୁନଥିଲେ। ଡାକ୍ତରମାନେ ସବୁ ପ୍ରୟୋଗ କରିବା ପରେ ମଧ୍ୟ ଆଶା କ୍ଷୀଣ ରହିଥିବାରୁ ଶେଷରେ ମାଲକାନଗିରିରେ ନୂତନ ଭାବେ ଅଣାଯାଇଥିବା ଏଚଏଫଏନସି ( ହାଏ ଫ୍ଲୋ ନାଜାଲ କାନ୍ୟୁଲା ) ମେସିନକୁ ମହାଲକ୍ଷ୍ମୀ ମୁହଁରେ ଲଗାଯାଇଥିଲା।
ପ୍ରଥମେ 60 ଲିଟର ଲେଖାଏଁ ଅକ୍ସିଜେନ ଦିଆଯାଇଥିଲା। ଏହା କାମ କଲା । ଧିରେ ଧିରେ ମହାଲକ୍ଷ୍ମୀ ସୁସ୍ଥ ହେବାକୁ ଲାଗିଲେ। ଡାକ୍ତର ମଧ୍ୟ ଏହି ମେସିନ ଦ୍ବାରା 60ରୁ ଧିରେ ଧିରେ ଅକ୍ସିଜେନ ପରିମାଣ କମାଇବାରେ ଲାଗିଲେ। ମହାଲକ୍ଷ୍ମୀ ଏହି ମେସିନ ବଳରେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ଡାକ୍ତରମାନେ ମଧ୍ୟ ହତବାକ ହୋଇଯାଇଥିଲେ ଯେଉଁ ରୋଗୀ ମୃତ୍ୟୁ ଆଡକୁ ଏକ ପ୍ରକାର ସଜବାଜ ହୋଇଯାଇଥିଲା, ସେହି ରୋଗୀ ଆଜି ସୁସ୍ଥ ହୋଇ କଥାବାର୍ତ୍ତା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଏହାସହ ସେ ପୂର୍ବରୁ କାହାକୁ ଚିହ୍ନି ପାରୁନଥିଲେ କିମ୍ବା ଶେଯରୁ ଉଠି ପାରୁନଥିଲେ, ହେଲେ ଏବେ ସେ ଶେଯରୁ ଉଠି ବସି ପାରୁଛନ୍ତି , କଥାବାର୍ତ୍ତା ହୋଇପାରୁଛନ୍ତି। ଯାହାକୁ ନେଇ ଡାକ୍ତର ଏବଂ ପରିବାର ଲୋକଙ୍କ ଖୁସି କହିଲେ ନସରେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ