ମାଲକାନଗିରି: ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ। ଯାହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି ଜିଲ୍ଲା ପଦ୍ମଗିରି ସେବାଶ୍ରମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା।
ସୂଚନା ଥାଉକି, ବଇଲାପାରି ଗାଁ ଶିବ ମାଡକାମି ନାମକ ଜଣେ ଆଦିବାସୀ ପିଲା ପଦ୍ନଗିରି ସେବାଶ୍ରମରେ ସପ୍ତମ ଶ୍ରେଣୀରେ ପଢୁଥିଲା। ହେଲେ ଗତ କିଛିଦିନ ଧରି ଛାତ୍ର ଜଣକ ଜ୍ବର ଆକ୍ରାନ୍ତ ହୋଇ ରହିଥିବା ବେଳେ ପରିବାର ଲୋକେ ତାଙ୍କୁ ଘରକୁ ନେବା ଲାଗି ଆସିଥିଲେ, ହେଲେ ବିଦ୍ୟାଳୟରେ ରହି ସେ ଚିକିତ୍ସିତ ହେଉଥିବା ଦର୍ଶାଇ ଶିକ୍ଷକ ତାକୁ ଛୁଟି ଦେଇନଥିଲେ ।
ତେବେ ଛାତ୍ରଙ୍କ ଦେହ ଅଧିକା ଖରାପ ହେବା ପରେ ଶିକ୍ଷକ ମାନେ ତାଙ୍କୁ ପଦ୍ମଗିରି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାତିରେ ସେଠାରେ ପହଞ୍ଚିଲା ବେଳକୁ ଛାତ୍ର ଜଣକ ପ୍ରାଣ ହରାଇ ସାରିଥିଲା ।
ଏହି ଘଟଣାକୁ ନେଇ ଗାଁ ଲୋକେ ବିଦ୍ୟାଳୟର ଶିକ୍ଷକଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ବିଦ୍ୟାଳୟ ଭିତରେ ଆନ୍ଦୋଳନ କରୁଛନ୍ତି ଗ୍ରାମବାସୀ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ