ମାଲକାନଗିରି : ନନ୍ଦାଗୁଡା ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ 4 ଜଣ ଗିରଫ । ଚାରି ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ପରେ ଆଜି(ରବିବାର) କୋର୍ଟ ଚାଲାଣ କରିଛି। ଏମାନେ ହେଲେ ଦେବା ବେଟି, ପଦିଆ ବାଡସେ, ଗଙ୍ଗା ବେଟୀ ଓ ପଦିଆ ଏମଲା । ସମସ୍ତ ଅଭିଯୁକ୍ତ ସେହି ଗାଁର ହୋଇଥିବାବେଳେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ସେମାନେ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି ।
ଗତ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ ହୋଇଥିବା ଚାରି ଜଣ ପୂର୍ବ ଯୋଜନା ମୁତାବକ କାରାମ କାନାର ଘରକୁ ଯାଇ ତାଙ୍କୁ ନିଦରୁ ଉଠାଇ ଘର ଅଗଣାରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବୀଭତ୍ସ ଭାବେ ଗଳା କାଟିଥିଲେ। ଏହାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତ ଶରୀରକୁ ଗାଁ ଠାରୁ ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳକୁ ନେଇ ମୁଣ୍ଡକୁ ନିଆଁ ଲଗାଇ ପୋଡ଼ିଦେବା ସହିତ ବଳକା ଶରୀରକୁ ନଦୀପଠା ବାଲିରେ ପୋତି ଦେଇଥିଲେ। ଗତକାଲି(ଶନିବାର) ମୃତକର ସ୍ତ୍ରୀ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ହତ୍ୟାକାରୀଙ୍କୁ ଖୋଜିବା ସହ ମୃତଦେହ ଉଦ୍ଧାର କରାଯାଇଥିଲା।
ଏଥିସହ ଗତକାଲି ରାତିରେ ଏହି ଗ୍ରାମ ଓ ଆଖପାଖ ଅଞ୍ଚଳକୁ ଚଢଉ କରି ପୋଲିସ ପକ୍ଷରୁ ୪ ଜଣ ହତ୍ୟାକାରୀଙ୍କୁ ଗିରଫ କରି ଆଜି(ରବିବାର) ସନ୍ଧ୍ୟାରେ କୋର୍ଟଚାଲାଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ କିଛିଦିନ ତଳେ ପଡିଆ ବ୍ଳକର ଉଦୟଗିରି ଗ୍ରାମରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ସେହି ଗ୍ରାମର କିଛି ଲୋକ ଗଳା କାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ ପାଇଁ ଗାଆଁ ମଶାଣିରେ ଜାଳିଦେଇଥିଲେ। ଏକବିଂଶ ଶତାବ୍ଦୀରେ ପାଦ ଦେଇ ସୁଦ୍ଧା ଅନ୍ଧବିଶ୍ବାସକୁ ବିଶ୍ୱାସ କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଗତକାଲି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ