ମାଲକାନଗିରି: ନାମ ଭୀମା ପୁଲା, ବୟସ ମାତ୍ର ୧୫ ବର୍ଷ । ଏହି ବୟସରେ ମୁଣ୍ଡରେ ପଡିଛି ପରିବାର ପ୍ରତିପୋଷଣର ବୋଝ । ଦୁଇ ଭଉଣୀ ଏବଂ ଭାଇଙ୍କ ଦାୟିତ୍ବ ମୁଣ୍ଡକୁ ନେଇଛନ୍ତି ଭୀମା । ୩ ବର୍ଷ ହେବ ସ୍ଥାୟୀ ଠିକଣା ନ ଥିବାବେଳେ ପ୍ରାୟ ଦେଢ଼ ବର୍ଷ ହେଲା ସମ୍ପର୍କୀୟଙ୍କ ଘରେ ପାଳି କରି ଭାଇ, ଭଉଣୀଙ୍କ ସହ ଦିନ କାଟୁଛନ୍ତି । ଦୁନିଆକୁ ଜାଣିବା ପୂର୍ବରୁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ବାଧ୍ୟ ହୋଇଛନ୍ତି ଅଭାଗା ଭୀମା ।
ତଥାପି ନିଜେ ଶିକ୍ଷିତ ହେବେ ଏବଂ ଭାଇ, ଭଉଣୀଙ୍କୁ ବି ଶିକ୍ଷିତ କରିବାର ଝୁଙ୍କ ଅଛି ଭୀମାଙ୍କର । ଏମିତି ଲକ୍ଷ୍ୟ ନେଇ ଭୋକର ଜ୍ବାଳାକୁ ସହ୍ୟ କରି ପାଠପଢ଼ା ମଧ୍ୟ ଜାରି ରଖିଛନ୍ତି ସେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଭେଜାପୁଟ ପଞ୍ଚାୟତ ଅନ୍ତର୍ଗତ ପୁଲାପାଲି ଗାଁର ଏହି ନାବାଳକ ଜଣକ ଧୈର୍ଯ୍ୟ ନହରାଇ କେବଳ ଭଲ ସୁଯୋଗ ଏବଂ ସହାୟତାକୁ ଅପେକ୍ଷା କରିଛନ୍ତି । ପ୍ରାୟ ୪ ବର୍ଷ ତଳେ ମାଆ ଚନ୍ଦ୍ରମା ପୁଲାଙ୍କୁ ହରାଇଥିଲେ ଭୀମା । ଏହାପରେ ବାପା ରାମ ପୁଲା ଚିନ୍ତାଗ୍ରସ୍ତ ହୋଇ କାମଧନ୍ଦା ବନ୍ଦ କରିଦେଇଥିଲେ । ମାନସିକ ବିଷାଦ ମଧ୍ୟରେ ପ୍ରାୟ ୩ବର୍ଷ ତଳେ ପିଲାଙ୍କୁ ଘରେ ଛାଡ଼ି କେଉଁଆଡ଼େ ଚାଲି ଯାଇଛନ୍ତି ବାପା । ଏହାପରେ ଆଉ କୌଣସି ଖୋଜ ଖବର ମିଳି ପାରୁନାହିଁ । ଅସହାୟ ଅବସ୍ଥାରେ ରହିଥିବା ଛୋଟ ଛୁଆଙ୍କୁ ସାହାରା ଦେବାକୁ ଆଉ କେହି ନଥିବାରୁ ଗ୍ରାମବାସୀ ଏବଂ ସମ୍ପର୍କୀୟ ରାମଙ୍କୁ ଖୋଜାଖୋଜି କରିବା ସତ୍ତ୍ବେ ମଧ୍ୟ ପତ୍ତା ପାଇନଥିଲେ ।
ଏହାପରେ ଆରମ୍ଭ ହୋଇଥିଲା ଭୀମା, ଉଉଣୀ ବାସନ୍ତୀ(୧୩), ସବିତା(୧୧) ଏବଂ ଭାଇ ଶିବ(୯)ଙ୍କ ଦୁର୍ବିଶହ ଜୀବନ । ଅଜା, ଦାଦା ଏବଂ ବଡ଼ବାପାଙ୍କ ଘରେ ପାଳି କରି ରହିଲେ ସବୁ ଭାଇ ଭଉଣୀ । ନାନା ଅଭାବ ଏବଂ ଅସୁବିଧା ମଧ୍ୟରେ କଟିଛି ଗତ ୩ବର୍ଷ । ବର୍ତ୍ତମାନ ଭୀମା ପଦ୍ମଗିରି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର । ଉଭଣୀ ବାସନ୍ତୀ ଚାଉଳିଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପାଠ ପଢୁଛନ୍ତି । ସବିତା ଥାପାଗୁଡ଼ା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁ ଥିବାବେଳେ ପାପାଲିଗୁଡ଼ା ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁଛି ସାନ ଭାଇ ଶିବ । ତେବେ ବିଦ୍ୟାଳୟ ହଷ୍ଟେଲରେ ପାଠ ପଢ଼ୁଥିବାରୁ ଅଧିକାଂଶ ଦିନ ବିଶେଷ ଅସୁବିଧା ନହୋଇ କଟି ଯାଉଥିଲା ।
କିନ୍ତୁ ଗତବର୍ଷ ଠାରୁ କରୋନା କାରଣରୁ ହଷ୍ଟେଲ ବନ୍ଦ ହୋଇଯିବାରୁ ସମସ୍ତେ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏହାପରେ ଭାଇ, ଭଉଣୀଙ୍କ ସଂପୂର୍ଣ୍ଣ ଦାୟିତ୍ବ ଭୀମା ଉପରେ ପଡ଼ିଛି । ସରକାରୀ ସହାୟତା କହିଲେ ମାସିକ କେବଳ ୨୦ କେଜି ଚାଉଳ ମିଳୁଛି । ଦିଓଳି ଦି ମୁଠା ଦାନା ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି ଏହି 4 ଭାଇ ଭଉଣୀଙ୍କୁ । ବାଲ୍ୟାବସ୍ଥାରେ ବାପାମାଆଙ୍କ ସ୍ନେହ ଆଦରରୁ ବଞ୍ଚିତ ହୋଇଥିବା ଏହି ଶିଶୁଙ୍କ ଭବିଷ୍ୟତକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି । ଯଦି ଏମାନଙ୍କୁ କୌଣସି ସରକାରୀ ସହାୟତା ମିଳିପାରନ୍ତା ତେବେ ବେଶ୍ ଭଲ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ