କୋରାପୁଟ: ଆଜି ହେଉଛି ବିଶ୍ବ ଏଡସ ଦିବସ । ସାରା ବିଶ୍ବରେ ଡିସେମ୍ବର 1 ତାରିଖକୁ ବିଶ୍ବ ଏଡସ ଦିବସ ଭାବରେ ପାଳନ କରାଯାଏ । ଏହି ମାରାତ୍ମକ ରୋଗର ନିରାକରଣ ଓ ଏହାକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ କୋରାପୁଟ ଜିଲ୍ଲାରେ ଗତ 19 ବର୍ଷରେ ଜିଲ୍ଲା ସ୍ଥିତି କି ଭଳି ରହିଛି ସେ ସମ୍ଫର୍କରେ ଜିଲ୍ଲା ଏଡସ ନିୟନ୍ତ୍ରଣ ପ୍ରକଳ୍ପ ଅଧିକାରୀ ସର୍ବେଶ୍ବର ବାରିକ ସୂଚନା ଦେଇଛନ୍ତି ।
ଜିଲ୍ଲାରେ ଗତ 19 ବର୍ଷ ମଧ୍ୟରେ ଏଡସ୍ ଯୋଗୁଁ 513 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଜିଲ୍ଲାର 1904 ଜଣ ଏଚଆଇଭି ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 969 ଜଣ ଏଆରଟି ଜରିଆରେ ବର୍ତମାନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି । 2002 ରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଏଡସକୁ ରୋକିବା ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ମାଧ୍ୟମରେ ସଚେତନ କରାଯାଉଛି । ଏଥି ଯୋଗୁଁ ଜିଲ୍ଲାରେ ଏଚଆଇଭି ସଂକ୍ରମଣର ବ୍ୟାପକତା ଉପରେ ନିୟନ୍ତ୍ରଣ ଆସିଥିବା ବେଳେ ମୃତ୍ୟୁର ହାରରେ କିଞ୍ଚିତ ବୃଦ୍ଧି ପାଇଛି । ଜିଲ୍ଲାରେ ଏଡସକୁ ନେଇ ଜନ ସଚେତନତାର ଅଭାବରୁ ରହିଥିବା ଜଣାଇଛନ୍ତି ।
ବିଶ୍ବ ଏଡସ ଦିବସ ଅବସରରେ ଏକ ସଚେତନତା ରଥ ବାହାରି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଏଡସ ସମ୍ପର୍କରେ ସଚେତନତାର ବାର୍ତା ପ୍ରସାର କରିବା ଆରମ୍ଭ କରିଛି ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି । ଜନ ସଚେତନତା ବଢିଲେ ଏଡସରେ ଆକ୍ରାନ୍ତ ବ୍ୟକ୍ତି ଏକ ସମ୍ମାନଜନକ ଜୀବନ ଅତିବାହିତ କରିପାରିବ ବୋଲି ସେ ଆଶାପୋଷଣ କରିଛନ୍ତି । ଆଜିର ଦିବସକୁ ପାଳନ କରିବା ପାଇଁ ଆୟୋଜିତ ସଭାରେ ଏଚଆଇଭି ଓ ସେଫେଲିସର ଏକ ସଙ୍ଗେ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ କମ୍ବୋ କିଟର ଲୋକାର୍ପଣ କରାଯାଇଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ