କୋରାପୁଟ: ଜିଲ୍ଲାରେ ଥିବା ଇଣ୍ଡିଆନ ରିଜର୍ଭ ବାଟାଲିଅନ ( ଆଇଆରବି) ରେ କାର୍ଯ୍ୟରତ ଯବାନ ଆଶିଷ ପାତିକାଙ୍କ ସହ ଆଠ ବର୍ଷର ଅନୈତିକ ସମ୍ପର୍କର ନ୍ୟାୟ ମାଗୁଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ବିଧବା ମହିଳା କୃପାଞ୍ଚଳି ବେବର୍ତା । କୃପାଞ୍ଜଳୀଙ୍କ କହିବାନୁଯାୟୀ, ଗ୍ରାମର ଆଶିଷ ଗତ ଆଠବର୍ଷ ପୂର୍ବେ ଚାକିରୀ କରୁନଥିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କୋରାପୁଟ ଆଇଆରବିରେ ଚାକିରୀ ମିଳିବା ପରେ ଆଶିଷ ତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ସାଥିରେ କୋରାପୁଟ ନେଇଆସିଥିଲେ । କୃପାଞ୍ଜଳୀ ଅନ୍ତଃସତ୍ଵା ହେବା ପରେ କୌଶଳକ୍ରମେ ଡାକ୍ତରଖାନାରେ ତାଙ୍କ ଗର୍ଭପାତ କରାଇ ତାଙ୍କଠାରୁ ଦୁରେଇ ଯିବାକୁ ଆରମ୍ଭ କରିଥିଲା ଆଶିଷ । ତେବେ ଏ ସମ୍ପର୍କରେ କୃପାଞ୍ଜଳୀଙ୍କ ପରିବାର ପଞ୍ଚାୟତ ବସାଇବା ପରେ ପୁଣିଥରେ ଦୁହେଁ କୋରାପୁଟ ଆସି ବନଭାରତି କଲୋନୀରେ ସାଥିରେ ରହିବାକୁ ଆରମ୍ଭ କରିଥିଲେ ।
କିନ୍ତୁ ଗତ ଜାନୁଆରୀ ମାସରେ ପୁଣିଥରେ ଗର୍ଭବତୀ ହେବା ପରେ କୃପାଞ୍ଜଳୀ ବିବାହ ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ । ସେହିଦିନ ଠାରୁ ହଠାତ ଆଶିଷ କେଉଁଆଡ଼େ ଚାଲିଯାଇଛନ୍ତି । ତେବେ ଦୃଢମନା କୃପାଞଳୀ ଆଇଆରବି କାର୍ଯ୍ୟାଳୟକୁ ବାରମ୍ବାର ଯାଇ ଆଶିଷର ଖବର ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ସମସ୍ତ ପ୍ରଚେଷ୍ଟା ବୃଥା ହେବା ପରେ ଶେଷରେ କୋରାପୁଟ ପୋଲିସ ପାଖରେ ଫେରାଦ ହେଲେ କୃପାଞ୍ଜଳୀ । ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଦେଖା କରି ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଥିଲେ ।
କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ହତାଶ ହୋଇଯାଇଥିବା ସମୟରେ ପୋଲିସ ନିର୍ଦେଶରେ ସେ ରହିଥିବା ଘର ମାଲିକ ତାଙ୍କୁ ଘର ଖାଲି କରିବା ପାଇଁ ନିର୍ଦେଶ ଦେଇଥିବା କୃପାଞ୍ଜଳୀ ଅଭିଯୋଗ କରିଛନ୍ତି । ଆଉ କିଛି ଉପାୟ ନପାଇ ସେ ନିଜ ପରିବାରବର୍ଗଙ୍କ ପାଖରେ ତାଙ୍କ ଗର୍ଭବତୀ ହୋଇଥିବା ଓ ଅତିନିକଟରେ ପ୍ରସବ ହେବାର ସମ୍ଭାବନା ଥିବା ଖବର ଦେବା ପରେ ତାଙ୍କ ଭାଇ ଅତୁଳ କୁମାର ପାଳ ଆଜି କୋରାପୁଟ ଆସି ତାଙ୍କୁ ପୁଣିଥରେ ଗାଁକୁ ଫେରାଇ ନେଇଛନ୍ତି । କୋରାପୁଟ ଟାଉନ ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ କହିବାନୁଯାୟୀ, କୃପାଞ୍ଜଳୀଙ୍କ ଅଭିଯୋଗ ପାଇବା ପରେ ଆଇଆରବି ର ଉଚ୍ଚ ଅଧିକାରୀଙ୍କ ପାଖକୁ ଚିଠି ଲେଖାଯାଇଛି ଓ ଉପଯୁକ୍ତ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ପୋଲିସ ଓ ଆଇଆରବି ମଧ୍ୟରେ ଆରମ୍ଭ ହୋଇଥିବା ପତ୍ର ବିନିମୟର ସୁଫଳ କେବେ କୃପାଞଳି ପାଖରେ ପହଞ୍ଚିବ ତାହା ହିଁ ଦେଖିବାକୁ ବାକି ରହିଲା ।
କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ